ବାରିପଦା : ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କମନ୍ ପିଜି ଏନ୍ତାନ୍ସ ଟେଷ୍ଟ -୨୦୨୬ ରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଝିଅ ହିମଦ୍ରିତନୟା ଚୌଧୁରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଥିବା ନେଇ ସାମସ ପକ୍ଷରୁ ଶ୍ରେଷ୍ଠ 20 ତାଲିକାରେ ପ୍ରକାଶ ପାଇଛି l ଏହି ତାଲିକାରେ ତୃତୀୟ ସ୍ଥାନରେ ହିମାଦ୍ରି ତନୟା କୃତିତ୍ୱ ହାସଲ କରି ଜିଲ୍ଲାର ଗୌରବ ବଢ଼ାଇବା ସହ ଏମପିସି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।
ହିମାଦ୍ରିତନୟା ବାରିପଦା ତାଖତପୁର ସ୍ଥିତ ଏମପିସି ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନରେ ଯୁକ୍ତ ୩ ପାଠ ପଢା ଶେଷ କରିଛନ୍ତି। ସେ ୨୦୨୬ ସ୍ନାତ୍ତକ ପରୀକ୍ଷାରେ ୯୦.୭୦ ପ୍ରତିଶତ ନମ୍ୱର୍ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ରାଜ୍ୟସ୍ତରୀୟ ସିପିଇଟି ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି କୃତିତ୍ୱ ପାଇଁ ଏମ୍ ପିସିର ଅଧ୍ୟାପିକା ରଞ୍ଜନା ରାଣୀ ସିଂ, ଅଧ୍ୟାପିକା ହପନବିଟି ଟୁଡୁ, ଅଧ୍ୟାପିକା ଭାଗ୍ୟବତୀ ବେହେରା, ଅଧ୍ୟାପିକା ସଂଗୀତା ପ୍ରଧାନ ଙ୍କ ସମେତ ଏମଏସ୍ ସିବି ବିଶ୍ଵ ବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ଆସୋସିଏଟ୍ ପ୍ରଫେସର ଡ଼ଃ ବସନ୍ତ କୁମାର ମହାନ୍ତ, ପ୍ରଫେସର ପ୍ରିୟଙ୍କା ଦାସ, ଗବେଷଣାରତ ଶୁଭଲକ୍ଷ୍ମୀ ବରାଳ ସହପାଠୀ ଓ ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ହିମାଦ୍ରି ତନୟା ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏଭଳି ସଫଳତାର ଧାରା ବଜାୟ ରଖିବେ ବୋଲି ସମସ୍ତେ ଆଶା ପୋଷଣ କରିଛନ୍ତି।
ହିମଦ୍ରିତନୟା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାରିପଦାର ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଅଧ୍ୟୟନ କରି ସମସ୍ତ ଶିକ୍ଷକ ଓ ଶିକ୍ଷିକା ଙ୍କର ପ୍ରୀୟଭାଜନ ହୋଇ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଛାତ୍ରୀ ଭାବେ ସିଲ୍ଡ ଗ୍ରହଣ କରିଥିଲେ। ଏହାପରେ ସରସ୍ଵତୀ ଶିଶୁ ମନ୍ଦିରରେ ନବମ ଓ ଦଶମ ଶ୍ରେଣୀ ରେ ପଢ଼ି ସଫଳତାର ସହ ପ୍ରଥମ ଶ୍ରେଣୀ ରେ କୃତକାର୍ଯ୍ୟ ହେବା ପରେ ଶିରିସବଣୀସ୍ଥିତ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସିବିଏସ୍ଇ ରେ ଯୁକ୍ତ ଦୁଇ ବିଜ୍ଞାନରେ ମଧ୍ୟ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲେ। ପରେ ଏମପିସି ରେ ନୃତତ୍ତ୍ୱ ବିଜ୍ଞାନରେ ପାଠ ପଢି ୯୦.୭0 ପ୍ରତିଶତ ନମ୍ୱର୍ ରଖି କୃତକାର୍ଯ୍ୟ ହୋଇଛନ୍ତି।
ପାଠପଢା ବ୍ୟତୀତ ସେ ଭଲ ବକ୍ତୃତା ଦେବା ସହ ଓଡ଼ିଶୀ ନୃତ୍ୟ ଓ ସଂଗୀତ ପରିବେଷଣ କରନ୍ତି। ତାଙ୍କର ଅନେକ ଭଜନ, ଝୁମର ଓ ପଲ୍ଲୀ ଗୀତ ଆକାଶବାଣୀ ବାରିପଦା ରେ ପ୍ରସାରିତ ହୋଇଛି। କେବଳ ସେତିକି ନୁହେଁ ୨୦୦୯ ମସିହାରେ ମାତ୍ର ସାଢେ଼ ୩ ବର୍ଷ ବୟସରେ ସେ କାମୟାବ ଟିଭିରେ ସର୍ବ କନିଷ୍ଠ କୁନି ରିପୋର୍ଟର ଭାବେ ସୁନାମ ଅର୍ଜନ କରିଥିବା ବେଳେ ୨୦୧୫ ମସିହା ଜାନୁଆରୀ ୨୪ ତାରିଖରେ ଆନ୍ତର୍ଜାତିକ ଶିଶୁ ପ୍ରସାରଣ ଦିବସରେ ବାରିପଦା ଆକାଶବାଣୀ ରେ ଉଦଘୋଷକ୍ ଭାବେ ସଫଳତାର ସହ କାର୍ଯ୍ୟକ୍ରମ ପ୍ରସାରଣ କରି ପ୍ରଶଂସା ସାଉଁଟି ଥିଲେ। ସେ ଓଡ଼ିଶୀ, ଛଉ, ଝୁମର, ସମ୍ୱଲପୁରୀ ନୃତ୍ୟ ଶିକ୍ଷା କରିଛନ୍ତି। ୨୦୧୭ ମସିହା ଠାରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପ୍ରଥମ କରି ରଥ ଆଗରେ ଓଡ଼ିଶୀ ଓ ଛଉ ନୃତ୍ୟ ପ୍ରଦର୍ଶନ କରି ଏକ ନୂଆ ପରମ୍ପରା ସୃଷ୍ଟି କରିଥିବା ବେଳେ ଏହା ଏକ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି।
ହିମଦ୍ରିତନୟା ବିଶିଷ୍ଟ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଏବଂ ଆକାଶବାଣୀ ବାରିପଦାର ଘୋଷିକା ରେଣୁବାଳା ରଥ ଙ୍କର ଏକମାତ୍ର କନ୍ୟା।
