ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ପଥର ଖଣିରେ ପଥର ଖସି ପଡ଼ିବା ଯୋଗୁ ଅନେକ ମୃତାହତ ହୋଇଥିବା ଜଣାପଡିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୭ ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ଅନେକ ଶ୍ରମିକ ଖଣି ତଳେ ପୋତି ହୋଇ ରହିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ଏମାନେ କାବେରୀ କମ୍ପାନୀର ଖଣିରେ କାମ କରୁଥିବା ବେଳେ ବଡ଼ ପଥର ଖଣ୍ଡ ଖସିପଡିଥିଲା ।
ଖବର ମୁତାବକ, ବେଙ୍ଗାଲୁରୁ ଦକ୍ଷିଣ ତାଲୁକର ମାଦାପାଟନା ଗାଁ ନିକଟରେ ସକାଳ ୬ଟା ୩୦ ମିନିଟରେ କାବେରୀ କମ୍ପାନି କ୍ରସର ଖଣିରେ କାମ ଚାଲିଥିଲା । ଏହି ସମୟରେ ଏକ ବଡ଼ ଭାଗ ଖସିପଡିଥିଲା । ଫଳରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ଏହା ପଡ଼ିଥିଲା । ଶ୍ରମିକମାନେ କାମ କରୁଥିବା ସମୟରେ ପ୍ରାୟ ୪୦ ଫୁଟ ଉପରୁ ଏକ ବିଶାଳକାୟ ପଥର ସେମାନଙ୍କ ଉପରକୁ ଖସି ପଡ଼ିଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଲାସି କାର୍ଯ୍ୟ ଜାରି ରଖିଛନ୍ତି। ପଥର ତଳେ ଆହୁରି ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା ମଧ୍ୟରେ ଉଦ୍ଧାରକାରୀ ଦଳଗୁଡ଼ିକ ଭଗ୍ନାବଶେଷ ହଟାଇବା ଜାରି ରଖିଛନ୍ତି । ପଥର ଖସି ପଡ଼ିବା ଫଳରେ ପଥର ତଳେ ଖଣି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ପୋତି ହୋଇଯାଇଥିଲେ । ଖନନକାରୀ ପର୍ଶୁରାମଙ୍କ ସୂଚନା ଅନୁଯାୟୀ, ପଥର ଖଣି ତଳେ ୧୫ ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ ।
ଶ୍ରମିକମାନେ ବିହାର ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କ ପରିବାରକୁ ସୂଚନା ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନେ ପଥର ତଳେ ଚାପି ହୋଇ ରହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
