ଭୁବନେଶ୍ୱର : ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ଓଡ଼ିଶା ଶିଳ୍ପ ଜଗତରେ ବଡ଼ ଧମାକା ! । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ଆଦାନୀ ଓ IHCର ମିଳିତ ବାଜି । ଓଡ଼ିଶାରେ ଆଦାନୀ ଓ ୟୁଏଇର ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ । ଗଢ଼ାହେବ ବିଶାଳ ଆଲୁମିନିୟମ ପ୍ଲାଣ୍ଟ । ଓଡ଼ିଶାର ଶିଳ୍ପ ବିକାଶ ଏବଂ ଦେଶର ଆଲୁମିନିୟମ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି । ଆଦାନୀ ଗ୍ରୁପ୍ ଏବଂ ଆବୁଧାବିର ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ମଧ୍ୟରେ ଓଡ଼ିଶାରେ ଏକ ବିଶାଳ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ୍ ସେଣ୍ଟରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଐତିହାସିକ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୧୧.୫ ବିଲିୟନ ଡଲାର ତଥା ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ କରାଯିବ। ଏଥିରେ ଏକ ବିଶାଳ ରିଫାଇନେରୀ, ସ୍ମେଲ୍ଟର, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ଡାଉନଷ୍ଟ୍ରିମ୍ ମାନୁଫ୍ୟାକଚରିଂ ପାର୍କ ଅନ୍ତର୍ଭୁକ୍ତ ରହିଛି ।
ଏହି ପ୍ରକଳ୍ପ ଦ୍ଵାରା ବାର୍ଷିକ ୨ ନିୟୁତ ଟନରୁ ଅଧିକ ଆଲୁମିନିୟମ ଉତ୍ପାଦନ କ୍ଷମତା ସୃଷ୍ଟି ହେବ । ଫଳରେ ଭାରତର ସମଗ୍ର ଆଲୁମିନିୟମ ଉତ୍ପାଦନ କ୍ଷମତା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବ । ଏହି ମେଗା ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାରେ ପ୍ରଚୁର ପରିମାଣରେ ଥିବା ବକ୍ସାଇଟ୍, ଗଚ୍ଛିତ ସମ୍ପଦ ଏବଂ ପରିବହନ ପାଇଁ ଆଦାନୀର ଧାମରା ବନ୍ଦରକୁ ଏହି ପ୍ଲାଣ୍ଟ ବ୍ୟବହାର କରିବ। ଯାହା ବ୍ୟବସାୟକୁ ଅଧିକ ସହଜ କରିବ । ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଆଲୁମିନିୟମ ବ୍ୟବହାର ବିଶ୍ଵ ସ୍ତର ତୁଳନାରେ କମ୍ ରହିଛି । ମାତ୍ର ବୈଦ୍ୟୁତିକ ଯାନ, ଅକ୍ଷୟ ଶକ୍ତି, ଭିତ୍ତିଭୂମି ଏବଂ ମାନୁଫ୍ୟାକଚରିଂ କ୍ଷେତ୍ରର ଦ୍ରୁତ ବିକାଶ ଯୋଗୁଁ ଆଗକୁ ଆଲୁମିନିୟମର ଚାହିଦା ବହୁତ ବଢ଼ିବାକୁ ଯାଉଛି । ତେଣୁ ଏହି ସମୟରେ ଏଭଳି ଏକ ପ୍ରକଳ୍ପ ବେଶ୍ ଲାଭଦାୟକ ପ୍ରମାଣିତ ହେବ । ଆଦାନୀର ଏହି ଏଣ୍ଟ୍ରି ପରେ ଓଡ଼ିଶାରେ ପୂର୍ବରୁ କାର୍ଯ୍ୟ କରୁଥିବା ବେଦାନ୍ତ ଆଲୁମିନିୟମ ଏବଂ ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍ ଭଳି ବଡ଼ କମ୍ପାନୀଗୁଡ଼ିକ ପାଇଁ ପ୍ରତିଯୋଗିତା ବେଶ୍ ଶକ୍ତ ହେବ । ଏହି ଦୁଇ କମ୍ପାନୀ ମଧ୍ୟ ଓଡ଼ିଶାରେ ନିଜର ବ୍ୟବସାୟ ସମ୍ପ୍ରସାରଣ ପାଇଁ ବଡ଼ ଯୋଜନା ରଖିଛନ୍ତି । ଏହି ଚୁକ୍ତିନାମା କେବଳ ଭାରତ ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରୁନାହିଁ ବରଂ ଓଡ଼ିଶାକୁ ବିଶ୍ଵସ୍ତରରେ ଆଲୁମିନିୟମର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ଥିବା ସ୍ଵପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ।
