IMG 20260702 WA0006 750x430

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ, କେଜିରୁ ପିଜି ନିଃଶୁଳ୍କ ଶିକ୍ଷା

ରାଜ୍ୟ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ରହିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପରିପ୍ରେକ୍ଷୀରେ ଆଗାମୀ ୪ ବର୍ଷ ପାଇଁ ୪୬.୬ ଲକ୍ଷ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ୩୫୦୬.୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ବର୍ଷରେ ୬୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୮୯୬୨ ଶିକ୍ଷାନୁଷ୍ଠାନର ୧୧ ଲକ୍ଷ ୨୩ ହଜାର ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିଲା।ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାଦାନ ପାଇଁ ରାଜ୍ୟ କ୍ୟାବିନେଟ ୫୪୬୭.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଚଳିତ ବର୍ଷରେ ୮୯୫.୫୭ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଐତିହାସିକ ନିଷ୍ପତ୍ତି ଦ୍ବାରା ରାଜ୍ୟର ଜଣେ ବି ଛାତ୍ର କିମ୍ବା ଛାତ୍ରୀ ଆଉ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ କିମ୍ବା ପାଠପଢ଼ା ମଝିରୁ ଛାଡ଼ିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କ୍ୟାବିନେଟ୍‌ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ନିଃଶୁଳ୍କ ଥିଲା।

ତେବେ ୨୦୨୬-୨୭ ଶିକ୍ଷା ବର୍ଷରୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମରୁ ଦ୍ବାଦଶ ଶ୍ରେଣୀ ଏବଂ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମରେଅଧ୍ୟୟନରତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଏହି ଯୋଜନାରେ ସ୍ବୟଂ-ଅର୍ଥପୋଷିତ (ସେଲ୍ଫ ଫାଇନାନ୍ସିଂ), ଅଣ ଅନୁଦାନପ୍ରାପ୍ତ, ପିପିପି ମୋଡ୍ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ ତଥା ବୃତ୍ତିଗତ, ବୈଷୟିକ ପାଠ୍ୟକ୍ରମ ଗୁଡ଼ିକୁ ସାମିଲ କରାଯାଇ ନାହିଁ। କେବଳ ଯୋଗ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ।

ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୮ ଟି ବିଭାଗର ୧୨ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୨ ଟି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ୧ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧ଟି, ନିର୍ମାଣ ବିଭାଗର ୨ଟି, ଜଳସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏବଂ ରାଜସ୍ବ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ସାମିଲ ଥିଲା। ଅପରପକ୍ଷରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ସମୟରେ ଯେଉଁ ସବୁ ମହାବିଦ୍ୟାଳୟଗୁଡ଼ିକ ଫି’ ନେଇଛନ୍ତି ସେମାନେ ଅର୍ଥ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଫେରସ୍ତ କରିବେ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରେସନ ବଣ୍ଟନ ନିମନ୍ତେ ବେସରକାରୀ ଡିଲର୍‌ଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର୍ ମାନଙ୍କ ନିଯୁକ୍ତି ଅବଧି ଆସନ୍ତା ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଠାରୁ ରଘୁନାଥପୁର ପୋଲ (୯.୫୦୦ କିମି) ପର୍ଯ୍ୟନ୍ତ ଜୟଦେବ ବିହାର-ନନ୍ଦନକାନନ ସଡ଼କର ବିଭିନ୍ନ ସ୍ଥାନରେ ଫ୍ଲାଏଓଭର ନିର୍ମାଣ ଏବଂ ଏହାକୁ ୮ ଲେନ୍ କରିବା ପାଇଁ ୫୮୦ କୋଟି ଟଙ୍କାର କାର୍ଯ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ସୁନ୍ଦରଗଡ଼ ଜିଲାର ଡୁଡୁକା-ଚପରିଆ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ରାସ୍ତାକୁ ୬ ଲେନ୍ କରିବା ପାଇଁ ୧୬୦ କୋଟି ଟଙ୍କାର ଟେଣ୍ଡର ଅନୁମୋଦନ କରାଯାଇଛି।

ବରଗଡ଼ ଜିଲା ଗାଇସିଲଟ୍ ବ୍ଲକ୍ ଜାମୁତପଲ୍ଲୀ ଅଙ୍ଗ ନଦୀରେ ଏକ ଆନ୍ତଃ ଜଳାଶୟ ନିର୍ମାଣ ପାଇଁ ୧୬୦ କୋଟି ଟଙ୍କାର ଟେଣ୍ଡର ଅନୁମୋଦନ ଲାଭ କରିଛି। କଳାହାଣ୍ଡିର କେସିଙ୍ଗାଠାରେ ଅମାଠ ଗ୍ରାମ ନିକଟରେ ତେଲ ନଦୀ ଅବବାହିକାରେ ଏକ ଆନ୍ତଃ ଜଳାଶୟ ନିର୍ମାଣ ପାଇଁ ୨୫୬ କୋଟି ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। ସେହିପରି ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ୨୨୯୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଜି କ୍ୟାବିନେଟ ବୈଠକରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ୨.୦ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ରାଜ୍ୟର ଡିଜିଟାଲ ଭିତ୍ତିଭୂମିକୁ ଏହା ସୁଦୃଢ଼ କରିବ ବୋଲି କୁହାଯାଇଛି। ଧଳା ଗୋଡ଼ ଚିଙ୍ଗୁଡ଼ି ଓ ଅନ୍ୟ ଖାର ପାଣି ପ୍ରଜାତିର ମାଛ ଚାଷ ପାଇଁ ନିୟମାବଳୀକୁ କ୍ୟାବିନେଟ ପାରିତ କରିଛି।