Amit shah

ଦିଲ୍ଲୀରେ ହାଇ-ପ୍ରୋଫାଇଲ୍ ବୈଠକ ! ଶାହ-କେଭି ଏକାନ୍ତ ଆଲୋଚନା

ରାଜ୍ୟ

ଭୁବନେଶ୍ୱର : ଦିଲ୍ଲୀରେ ହାଇ-ପ୍ରୋଫାଇଲ୍ ବୈଠକ! । ଗତକାଲି ଦିଲ୍ଲୀ ଦରବାରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ହୋଇଥିବା ଏକାନ୍ତ ଆଲୋଚନା ଏବେ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଥିବା ଗୁଜବ ମଧ୍ୟରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ବିଶେଷ କରି ଆସନ୍ତା ଜୁଲାଇ ୪ ଏବଂ ୫ ତାରିଖରେ ଅମିତ ଶାହ ବରଗଡ଼ ଓ ସମ୍ବଲପୁର ଗସ୍ତରେ ଆସୁଥିବାରୁ ଏହି ଆଲୋଚନାର ମହତ୍ତ୍ୱ ଆହୁରି ବଢ଼ିଯାଇଛି। ଏହା ସହିତ କେଭି ସିଂହଦେଓଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ବଲାଙ୍ଗୀରରୁ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ, ଏହି ସାକ୍ଷାତକାର ପଛରେ ପଶ୍ଚିମ ଓଡ଼ିଶାର ବଡ଼ ରାଜନୈତିକ ଅଙ୍କ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି।

ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଅମିତ ଶାହଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।  ମାତ୍ର କେଇଟା ଦିନ ପରେ ଗୃହମନ୍ତ୍ରୀ ବରଗଡ଼ ଏବଂ ସମ୍ବଲପୁର ଗସ୍ତରେ ଆସୁଥିବାରୁ, ଏହି ଓ୍ୱାନ୍-ଟୁ-ଓ୍ୱାନ୍ ବୈଠକଟି ଏକ ପ୍ରକାର ରଣନୀତି ପ୍ରସ୍ତୁତିର ମାଧ୍ୟମ ସାଜିଥିଲା। ପଶ୍ଚିମ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଭୋଟରଙ୍କ ସମସ୍ୟା ଏବଂ ସେଠାରେ ଦଳୀୟ ସଂଗଠନର ପ୍ରସ୍ତୁତି ସମ୍ପର୍କରେ କେଭି ସିଂହଦେଓ ଶାହଙ୍କୁ ଅବଗତ କରାଇଛନ୍ତି। କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା ଏବଂ ଗ୍ରାଉଣ୍ଡ ଲେଭଲ୍ ରେ ଦଳୀୟ କର୍ମୀଙ୍କୁ ସକ୍ରିୟ କରି ଏହି ଗସ୍ତକୁ କିଭଳି ଅଧିକ ପ୍ରଭାବଶାଳୀ କରାଯାଇପାରିବ, ତାହା ଉପରେ ଫୋକସ୍ କରାଯାଇଛି।

ଏହାସହ ପଶ୍ଚିମ ଓଡ଼ିଶାର ଦାବି ଏବଂ ବିଜେପିର ସ୍ଥିତି ମଜବୁତ କରିବା ଦିଗରେ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି। ପଶ୍ଚିମ ଓଡ଼ିଶାରେ ସିଂହଦେଓ ପରିବାରର ଏକ ବଡ଼ ରାଜନୈତିକ ଦବଦବା ରହିଛି। ତେଣୁ ଏହି ଅଞ୍ଚଳରେ ବିଜେପିର ସ୍ଥିତିକୁ ଦୀର୍ଘକାଳୀନ ଭାବେ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥାଇପାରେ। ବିଶେଷ କରି ପଶ୍ଚିମ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା, ବିରୋଧୀଙ୍କ ‘ଆଞ୍ଚଳିକ ବୈଷମ୍ୟ’ର ଅଭିଯୋଗକୁ କାଉଣ୍ଟର କରିବା ଏବଂ କେନ୍ଦ୍ର-ରାଜ୍ୟ ଯୋଜନା ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଭୋଟରଙ୍କ ଆସ୍ଥା ଜିତିବା ନେଇ ଦୁଇ ନେତାଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିବା ଅନୁମାନ କରାଯାଉଛି।

ରାଜ୍ୟ ମନ୍ତ୍ରୀମଣ୍ଡଳରେ ସମ୍ଭାବ୍ୟ ସମ୍ପ୍ରସାରଣ ବା ଅଦଳବଦଳକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ସହ ସମନ୍ୱୟ ରକ୍ଷା କରିବା ପାଇଁ ଏହି ବୈଠକରେ ଚର୍ଚ୍ଚା କରି ଥାଇ ପାରନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। କ୍ୟାବିନେଟ୍ ରେ କେବେ ଏବଂ କେତେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ, ସେ ନେଇ କେଭି ସିଂହଦେଓ କେନ୍ଦ୍ରୀୟ ନେତୃତ୍ୱର ଆଭିମୁଖ୍ୟ ବୁଝିବାକୁ ଚେଷ୍ଟା କରିଥାଇପାରନ୍ତି। ଏହା ସହିତ ବଲାଙ୍ଗୀର-ବରଗଡ଼-ସମ୍ବଲପୁର ଅଞ୍ଚଳର ନେତାମାନଙ୍କୁ କ୍ୟାବିନେଟ୍ ରେ ସଠିକ୍ ସ୍ଥାନ ଦେଇ କିଭଳି ଆଞ୍ଚଳିକ ସନ୍ତୁଳନ ରକ୍ଷା କରାଯାଇପାରିବ, ସେ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି ।