ଭୁବନେଶ୍ବର: ଓଡ଼ିଶାର ପବିତ୍ର ମାଟି ହେଉଛି ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାଧନା ପୀଠ। ଗୋପବନ୍ଧୁଙ୍କ ନିକଟରେ ମାନବ ସେବା ହିଁ ଥିଲା ପ୍ରକୃତ ମାଧବ ସେବା। “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ” — ଉତ୍କଳମଣିଙ୍କ ଏହି ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ କେତେଜଣ ପ୍ରଜ୍ଞାପୁରୁଷ ନିଜ ଜୀବନକୁ ସମାଜ ମଙ୍ଗଳରେ ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରେ ପଣ୍ଡିତ ନିରଞ୍ଜନ ରଥ ଥିଲେ ଅନ୍ୟତମ। ଗୋପବନ୍ଧୁଙ୍କ ଜୀବନାଦର୍ଶ ଏବେ ବି ପ୍ରତ୍ୟେକ ଯୁବପିଢିଙ୍କ ପାଇଁ ପ୍ରେରଣାର ଅଫୁରନ୍ତ ଉତ୍ସ ହୋଇ ରହିଥିବା ବେଳେ, ପଣ୍ଡିତ ନିରଞ୍ଜନ ରଥ ସେହି ପଥର ଜଣେ ନିଷ୍ଠାପର ପଥିକ ଥିଲେ। ନିକଟରେ ପୂଜ୍ୟପୂଜା ଓଡ଼ିଶା, ଭୁବନେଶ୍ବର ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଡ଼େଲଟା କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଣ୍ଡିତ ନିରଞ୍ଜନ ରଥଙ୍କ ପୂଣ୍ୟତିଥି ଅବସରରେ ଛାତ୍ରଛାତ୍ରୀମାନଙ୍କ ଲାଗି ଏକ ପ୍ରେରଣାଦାୟୀ ବିଦ୍ୟାଳୟ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ଓଡ଼ିଶାର ସଂପାଦକ ତଥା ବରିଷ୍ଠ ସାରସ୍ବତ ସଂଗଠକ ରମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍କଳମଣିଙ୍କ ଜୀବନାଦର୍ଶ, ନିଃସ୍ୱାର୍ଥପର ସେବା ଓ ଜାତୀୟତା ବୋଧ ସମ୍ପର୍କରେ ସରଳ ଭାଷାରେ ବୁଝାଇଥିଲେ। ପଣ୍ଡିତ ନିରଞ୍ଜନ ରଥଙ୍କ ସ୍ମୃତି ଚାରଣ କରି ଶ୍ରୀ ମିଶ୍ର କହିଥିଲେ ଯେ, ନିରଞ୍ଜନ ରଥ ଥିଲେ ପ୍ରକୃତ ଅର୍ଥରେ ଗୋପବନ୍ଧୁଙ୍କ ଜଣେ ସଚ୍ଚୋଟ ଅନୁଗାମୀ।
ଉତ୍କଳମଣି ଯେଭଳି ସମ୍ବାଦପତ୍ରକୁ ସମାଜ ସଂସ୍କାର ଏବଂ ଶେଷ ଧାଡ଼ିରେ ଥିବା ମଣିଷର ସ୍ୱର ଭାବେ ବ୍ୟବହାର କରିଥିଲେ, ଠିକ୍ ସେହିପରି ପଣ୍ଡିତ ନିରଞ୍ଜନ ରଥ ରାଜ୍ୟର ପ୍ରତିଷ୍ଠିତ ଖବରକାଗଜରେ ପରିଚାଳକ ଓ ସଂପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଗୋପବନ୍ଧୁଙ୍କ ସେହି ମହାନ ସ୍ୱପ୍ନ ଓ ମୂଲ୍ୟବୋଧକୁ ସାକାର କରିବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥିଲେ।
ତାଙ୍କର ସରଳ ଜୀବନଯାପନ, ସାମ୍ବାଦିକତା କ୍ଷେତ୍ରରେ ସ୍ପଷ୍ଟବାଦିତା ଏବଂ ତ୍ୟାଗପୂତ ଜୀବନ ଆଜିର ସମାଜ ତଥା ଆଗାମୀ ପିଢି ପାଇଁ ଏକ ଅନନ୍ୟ ଆଦର୍ଶ। ଛାତ୍ରଛାତ୍ରୀମାନେ ଏହି ମହାନ ମନୀଷୀଙ୍କ ପଥ ଅନୁସରଣ କରି ନିଜ ଭିତରେ ମାନବିକତାର ବିକାଶ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।
