ବାରିପଦା : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ୩୨-ବଡସାହି(ଏସସି) ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନସ୍ଥ ୫୬ ନଂ ମତଦାନ କେନ୍ଦ୍ରରେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ବଡ଼ସାହି) ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଓ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ବୁଥ୍ ସ୍ତରରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଓ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲ୍ଏ)ମାନଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । କ୍ଷେତ୍ରସ୍ତରରେ ଘରକୁ ଘର ଯାଇ ମତଦାତାଙ୍କ ତଥ୍ୟ ସଂଗ୍ରହ, ଯାଞ୍ଚ ଏବଂ ନାମାବଳୀରେ ଆବଶ୍ୟକ ସଂଶୋଧନ ସମ୍ବନ୍ଧୀୟ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା ।
ବିଶେଷକରି, କୌଣସି ଯୋଗ୍ୟ ମତଦାତାଙ୍କ ନାମ ନିର୍ବାଚନୀ ନାମାବଳୀରୁ ବାଦ୍ ପଡ଼ିବାକୁ ନ ଦେବା, ନୂତନ ଯୋଗ୍ୟ ମତଦାତାଙ୍କୁ ଅନ୍ତର୍ଭୁକ୍ତ କରିବା, ମୃତ, ସ୍ଥାନାନ୍ତରିତ କିମ୍ବା ଦ୍ୱିତୀୟ ନାମଗୁଡ଼ିକର ଯଥାର୍ଥ ଯାଞ୍ଚ କରିବା ଏବଂ ନାମାବଳୀକୁ ସଠିକ୍ ଓ ଅପଡେଟ୍ ରଖିବା ଦିଗରେ ବିଏଲ୍ଓ ଏବଂ ବିଏଲ୍ଏମାନଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ନାୟକ ମତପ୍ରକାଶ କରିଛନ୍ତି ।
ଏହାସହ ବିଏଲ୍ଓ ଓ ବିଏଲ୍ଏମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରି ନିରପେକ୍ଷତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ସମସ୍ତଙ୍କ ସକ୍ରିୟ ସହଯୋଗ ମାଧ୍ୟମରେ ଏକ ନିର୍ଭୁଲ, ସର୍ବସମାବେଶୀ ଏବଂ ଅଦ୍ୟତନ ନିର୍ବାଚନୀ ନାମାବଳୀ ପ୍ରସ୍ତୁତ କରିବା ହିଁ ଏସ୍ଆଇଆର-୨୦୨୬ର ମୂଳ ଉଦ୍ଦେଶ୍ୟ ବୋଲି ବୋଲି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ ନାୟକ କହିଛନ୍ତି । ଆଜିର ଏହି ବୈଠକରେ ସଂପୃକ୍ତ ବୁଥର ବିଏଲ୍ଓ ମୃତ୍ୟୁଞ୍ଜୟ ଦାସ, ବିଏଲ୍ଓ ସୁପରଭାଇଜର୍ ସନ୍ତୋଷ କୁମାର ବେହେରା ସମେତ ବିଭିନ୍ନ ରାଜନୈତିକ ଦଳର ବିଏଲ୍ଏମାନେ ଉପସ୍ଥିତ ଥିଲେ ।
