IMG 20260625 WA0121

 ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ରାଜ୍ୟ
  • ସ୍ନାନଯାତ୍ରା ଓ ରଥଯାତ୍ରା କାର୍ଯ୍ୟକ୍ରମର ଶୃଖଂଳିତ ସମ୍ପାଦନ ଉପରେ ଗୁରୁତ୍ୱlରୋପ
ବାରିପଦା : ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ରଥଯାତ୍ରା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଉପଖଣ୍ଡ ପ୍ରଶାସନ ତତ୍ତ୍ୱlବଧାନରେ ରାଇରଙ୍ଗପୁର ଦେବତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ  ସମ୍ମିଳନୀ କକ୍ଷଠାରେ  ଲୋକସଭା ସାଂସଦ ତଥା ଚଳିତ ବର୍ଷ ରାଇରଙ୍ଗପୁର ରଥଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁରର  ବିଧାୟକ ଶ୍ରୀ ଜଲେନ ନାଏକ,ରାଇରଙ୍ଗପୁର ପୌର ପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ,  ରାଇରଙ୍ଗପୁର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବୀରେନ୍ଦ୍ର ସେନାପତି, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ଓ ଟାଉନ ଥାନା ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକଶ ସ୍ୱାଇଁ ସାହୁ ପ୍ରମୁଖ  ଯୋଗ ଦେଇଥିଲେ.
ବୈଠକ ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ମାଝୀ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ଚଳିତ ବର୍ଷ ରାଇରଙ୍ଗପୁର ରଥଯାତ୍ରା ପ୍ରତି ବର୍ଷ ଭଳି ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ଯଥା ରୀତିରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ |ଏହାପରେ  ରାଇରଙ୍ଗପୁର ଦେବତ୍ତର ବିଭାଗ ତତ୍ୱାବଧାନରେ ଚଳିତ ୨୦୨୬ ମସିହା ରଥଯାତ୍ରା  ପାଳନ ସମ୍ପର୍କିତ ପ୍ରସ୍ତୁତ ପ୍ରସ୍ତାବିତ କାର୍ଯ୍ୟସୂଚୀର ବିଶଦ ବିବରଣୀକୁ ସମସ୍ତଙ୍କ ଅବଗତି ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା.
ବୈଠକରେ ସମସ୍ତ  ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା| ମୁଖ୍ୟତଃ ଦେବତ୍ତର ବିଭାଗ ସହିତ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ତଥା ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଧାରିତ ସମୟରେ ସୁଚାରୁ ରୂପେ ସମ୍ପାଦନ ପୂର୍ବକ ବ୍ୟବସ୍ଥିତ ଢଙ୍ଗରେ ସମାପନ ପାଇଁ ପରାମର୍ଶ ଦିଆଯାଇଥିଲା| କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୨୯ ତାରିଖ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନ,ସନ୍ଧ୍ୟା ରେ ଗଜାନନ ବେଶ ଦର୍ଶନ, ରାତ୍ର ୧୦ ଘଟିକା ସମୟ ରେ ଶ୍ରୀ ଜୀଉ ମାନଙ୍କ ଅଣସର ପିଣ୍ଡିକୁ ଯାତ୍ରା, ଚଳିତ ବର୍ଷ ଆଗାମୀ ଜୁଲାଇ ମାସ  ୧୧ତାରିଖରେ ମହାପ୍ରଭୁ ଶ୍ରୀଅଙ୍ଗେ ଖଳିଲାଗି ବିଧାନ, ଜୁଲାଇ ୧୪ ତାରିଖ ସକାଳ ସମୟେ  ନବଯୌବନ ଦର୍ଶନ, ପରେ ପରେ ନେତ ଉଠା, ୧୬ ତାରିଖ ରଥ ପ୍ରତିଷ୍ଠା, ପ୍ରଭୁଙ୍କ ପହଣ୍ଡି ଯାତ୍ରା ଓ ରଥାରୁଢ଼, ୧୬ ଓ ୧୭ ତାରିଖ ଦୁଇଦିନ ଅପରାହ୍ନରେ ରଥଟଣା,୨୦ ତାରିଖରେ ହେରାପଞ୍ଚମୀ ନୀତି ,୨୧ ତାରିଖ ଶ୍ରୀଗୁଣ୍ଡିଚା ମନ୍ଦିରରେ ମା ବିପତ୍ତାରିଣୀ ବ୍ରତ ବିଧାନ,୨୩ ତାରିଖରେ ନବମୀ ସନ୍ଧ୍ୟା ଦର୍ଶନ,୨୪ ତାରିଖ ପୂର୍ବାହ୍ନରେ ବାହୁଡା଼ ଯାତ୍ରାର ପହଣ୍ଡି ଓ  ରଥାରୁଢ଼, ୨୪ ଓ ୨୫ ତାରିଖ ଦୁଇଦିନ ଅପରାହ୍ନ ରେ ବାହୁଡା଼ ଯାତ୍ରାର ରଥଟଣା, ୨୫ ତାରିଖ ରେ ଏକାଦଶୀ ନୀତି, ଅଧରପଣା ଲାଗି ଓ ସୁନାବେଶ ଦର୍ଶନ , ୨୬  ତାରିଖ ଅପରାହ୍ନରେ ନୀଳାଦ୍ରି ବିଜେ ଇତ୍ୟାଦି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିର ସୁଚାରୁ ସମ୍ପାଦନ ପାଇଁ ନିର୍ଦେଶ ଦିଆଯାଇଛି|
ରାଧାମୋହନ ମନ୍ଦିର,ମାଉସୀମା ବାଡ଼ି ଏବଂ ରଥ ରେ ରଙ୍ଗ ଦେବା ଆଦି ଆନୁସଙ୍ଗିକ କାର୍ଯ୍ୟକ୍ରମ ନିର୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ  ପରାମର୍ଶ ଦିଆଯାଇଛି. ସେହିପରି ରଥ ଟଣା ପାଇଁ ଆବଶ୍ୟକ ପଡୁଥିବା ଦଉଡି ଯୋଗାଇଦେବା ପାଇଁ ଟାଟା ପାୱାର କତୃପକ୍ଷ , ରାସ୍ତା ଓ ଗୃହ ନିର୍ମାଣବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଇରଙ୍ଗପୁରଙ୍କୁ ନିର୍ଦେଶ ଦିଆଯାଇଛି . ଠାକୁରଙ୍କ ଲାଗିହେବା ପାଇଁ ଆବଶ୍ୟକ ପଡୁଥିବା ଫୁଲ ଏବଂ ଫୁଲମାଳ ଯୋଗାଇ ଦେବା ନିମନ୍ତେ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ରାଇରଙ୍ଗପୁରଙ୍କୁ ନିର୍ଦେଶ ଦିଆଯାଇଛି.ରଥ ଯାତ୍ରା ସମୟରେ ରଥଦାଣ୍ଡ ଏବଂ ସହରର ବିଭିନ୍ନ ଗଳି ଓ ଅନ୍ଧାରୁଆ ସ୍ଥାନରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ ଓ ଟ୍ରାଫିକ ନିୟନ୍ତ୍ରଣ, ରଥଟଣା ସମୟରେ ଏନସିସି, ଏନଏସଏସ, ୟୁଥ ରେଡକ୍ରସ ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନ ର ଯୁବ ସ୍ବେଛାସେବୀଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ହୋଟେଲ, ଅସ୍ଥାୟୀ ଜଳଖିଆ ଦୋକାନ ଗୁଡିକ ରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ର ମାନ, ଗୁଣବତ୍ତାକୁ ସ୍ୱାସ୍ଥ୍ୟ ବିଭାଗ ଓ ରାଇରଙ୍ଗପୁର ପୌରପାଳିକାଙ୍କ ତରଫରୁ ମିଳିତ ତତ୍ୱାବଧାନ ରେ ନିୟମିତ ଯାଞ୍ଚ ଓ ତଦାରଖ ପାଇଁ ପଦକ୍ଷେପ ନେବା, ଜନଗହଳି କାରଣରୁ ଉପୁଜୁଥିବା ଅସ୍ୱାଭାବିକ ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ତଥା ଆକସ୍ମିକ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଦ୍ୱାରା ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ସହର ଓ ବଡଦାଣ୍ଡ ଅଂଚଳ ର ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ପବିତ୍ର ରଥଯାତ୍ରା ସମୟରେ ରଥ ଦାଣ୍ଡରେ ଆମିଷ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରାଯିବା, ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ ରଖାଯିବା ଓ ନିୟମିତ ତଦାରଖ ତଥା ଚଢ଼ାଉ କରାଯିବା ଆଦି ଦିଗ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଇତ୍ୟାଦି ସମସ୍ତ କାର୍ଯ୍ୟ ସୁପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ  ଅଧିକାରୀ ମାନଙ୍କୁ ମାନ୍ୟବର ସାଂସଦ ପରାମର୍ଶ ଦେଇଛନ୍ତି . ରଥଯାତ୍ରା ସମୟ ରେ ରଥଦାଣ୍ଡରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଉପରେ ଧାରା ବିବରଣୀ ଓ ସନ୍ଧ୍ୟା ରେ ରାଜ୍ୟ ତଥା ସ୍ଥାନୀୟ ଅଂଚଳର କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ ପାଇଁ ନିଷ୍ପତି ନିଆଯାଇଛି. ରଥ ଯାତ୍ରା ଉପଲକ୍ଷେ ବାହାରୁ ଆସୁଥିବା  ମିନାବଜାର ପାଇଁ ଏନଓସି ପ୍ରଦାନ କରାଯିବା ରେ ନିୟମକୁ କଡାକଡ଼ି ପାଳନ କରାଯିବା ସହିତ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକିୟ ଜାଗା ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କ ତତ୍ୱାବଧାନ ରେ ଆବଣ୍ଟନ କରାଯିବା ପାଇଁ ପରାମର୍ଶ ଦିଆଯାଇଛି. ଏଥି ସହିତ ଅନ୍ୟାନ୍ୟ ପ୍ରସଙ୍ଗ କ୍ରମେ ରଥଦାଣ୍ଡ ର ଉଭୟ ପାର୍ଶ୍ଵ ରେ ଅବରୋଧ କରିଥିବା ଜାଗା ଖାଲି କରାଯିବା ଓ ନାମ ଫଳକ ଗୁଡିକ ହଟାଇବା ପାଇଁ ନିଷ୍ପତି ନିଆଯାଇଛି|
ପାରମ୍ପରିକ ରୀତି ଅନୁଯାୟୀ  ତା ୧୮-୦୭-୨୦୨୬ ରିଖ ରୁ ତା ୨୩-୦୭-୨୦୨୬ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମହାପ୍ରଭୁ ମାନଙ୍କ ବିଭିନ୍ନ ଦିବ୍ୟ ବେଶ ଦର୍ଶନ ହେବ|ପ୍ରକାଶ ଥାଉକି ରଥ ଟଣା କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିବସ ଗୁଡ଼ିକରେ କେବଳ ମହିଳା ମାନଙ୍କ ଦ୍ୱାରା ରଥ ଟଣା ଯିବା ନେଇ ନିଷ୍ପତି ନିଆଯାଇଥିବା ବେଳେ ଏଥି ପାଇଁ ଇନର କର୍ଡନ ରେ ଆବଶ୍ୟକ ସଂଖ୍ୟକ ମହିଳା ପୋଲିସ କର୍ମଚାରୀ ନିୟୋଜିତ କରାଯାଇ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭାଗୀୟ ଅଧିକାରୀ ତଥା ଦେବତ୍ତର ବିଭାଗ ର ସେବାୟତ ମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି|
ଆଜିର ଅନୁଷ୍ଠିତ ବୈଠକ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ ବେହେରାଙ୍କ ସମେତ  ବିଭିନ୍ନ ବିଭାଗୀୟ ପଦାଧିକାରୀ, ଜଗନ୍ନାଥ ମନ୍ଦିର ପୂଜକ ପଣ୍ଡିତ ଦେବବ୍ରତ ରଥ ମହାପାତ୍ର, ରଥ କମିଟିର ସଦସ୍ୟ,ସେବାୟତ, ରଥ ମହାରଣା, ରଥ ମହାପାତ୍ର, ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ରଥ ଯାତ୍ରା ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ| ଶେଷରେ ଅଧ୍ୟକ୍ଷ  ସମସ୍ତଙ୍କ ସହଯୋଗ କାମନା କରି ରାଇରଙ୍ଗପୁରରେ ମହାପ୍ରଭୁଙ୍କ ଘୋଷ ଯାତ୍ରାର ସମସ୍ତ କାର୍ଯ୍ୟ ସଫଳ ସମ୍ପାଦନ ପାଇଁ ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହାକୁ ସମ୍ପୃକ୍ତ ବିଭାଗ  ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଯତ୍ନବାନ ହେବେ ବୋଲି ଆଶା ପୋଷଣ କରିବା ସହ ବୈଠକରେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.