ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଏବଂ ଏହାର ପିଜି ୟୁନିଟ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ବର୍ଷର ଆନ୍ତର୍ଜାତିକ ଯୋଗ ଦିବସର ଥିମ୍ “ୟୋଗା ଫର୍ ହେଲ୍ଥି ଏଜିଙ୍ଗ୍”କୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ସମ୍ବୋଧନ କରି କହିଥିଲେ ଯେ, “ୟୋଗକୁ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାର ଏକ ଅଂଶ ଭାବେ ପାଳନ କରିବାକୁ ଆହ୍ୱାନ କରିଥିଲେ । ଯୋଗ ଦ୍ୱାରା ନକାରାତ୍ମକ ଚିନ୍ତା ତଥା ବ୍ୟର୍ଥଚିନ୍ତନରୁ ମନକୁ ମୁକ୍ତି, ସକାରାତ୍ମକ ଏବଂ ଶକ୍ତିଶାଳୀ ଚିନ୍ତନରେ ମନକୁ ନିୟୋଜନ, ମାନସିକ ଶାନ୍ତି, ଏକାଗ୍ରତା ବୃଦ୍ଧି, ବ୍ୟକ୍ତିତ୍ୱର ବିକାଶ ଓ ସମ୍ବନ୍ଧ ସମ୍ପର୍କରେ ମଧୁରତାର ଉତ୍ତରଣ ହୋଇପାରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଓ ନ୍ୟାଚୁରୋପାଥି ବିଭାଗର ସହକାରୀ ପ୍ରଫେସର ଡ. ସୁଜାତା ପଣ୍ଡା ପ୍ରଟୋକଲ ଅନୁସାରେ ସମସ୍ତଙ୍କୁ ଯୋଗାଭ୍ୟାସ ଓ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ସଂଯୋଜକ ଡ. ପ୍ରିୟ ରଞ୍ଜନ ଦେବତା, ପ୍ରୋଗ୍ରାମ ଅଧିକାରୀ ଡ. ଯତୀନ୍ଦ୍ର ନାଥ ବେଶ୍ରା, ଅଜୟ କୁମାର ବଳ, ସୁସ୍ମିତା ପାତ୍ର, ସୁନେଲିକା ପ୍ରହରାଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯକ୍ରମ ପୂର୍ବରୁ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଏକ କମ୍ୟୁନିଟି ଆଉଟ୍ରିଚ୍ କାର୍ଯ୍ୟକ୍ରମରେ ଶଙ୍ଖାଭଙ୍ଗା ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ କରାଯାଇଥିଲା । ସିଡିଓଇ ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ସିଡିଓଇର ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ବୟସ୍କ ନାଗରିକ, ପିଲାମାନେ, ଯୂବଗୋଷ୍ଠୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏଭଳି ପ୍ରାୟ ୮୦ ଜଣ ଯୋଗଦାନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ମାରକ ଟି-ସାର୍ଟ୍ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ଶ୍ରୀ ବଳଭଦ୍ର ହେମ୍ବ୍ରମ୍, ୱାର୍ଡ ମେମ୍ବର ପୁଣ୍ଟା ସୋରେନ୍, ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଯୋଜକ ଶ୍ରୀ ଅନନ୍ତ କିଶୋର, ଏଡିଇଓ ମହେଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
