Modi cc

ରାଜ୍ୟବାସୀଙ୍କୁ ୪୭,୬୦୦ କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ରାଜ୍ୟ

ମୟୂରଭଞ୍ଜ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ ଘାଟନ । ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଆଜି ଏକ ବଡ଼ ଇତିହାସ ରଚିତ ହୋଇଛି । ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ ଦିଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ୪୭ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ବିଶେଷ କରି ରାଜ୍ୟର ଗ୍ରାମାଞ୍ଚଳ ଏବଂ ପଛୁଆ ଅଞ୍ଚଳର ଚେହେରା ବଦଳାଇବାରେ ସହାୟକ ହେବ । ଶିଳାନ୍ୟାସ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୦୦ ମେଗାୱାଟ୍ ବିଶିଷ୍ଟ ‘ଉପର ଇନ୍ଦ୍ରାବତୀ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ’ ଏବଂ ‘ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର’ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଅଧୀନରେ ୬୬୦ ମେଗାୱାଟ୍ ଲେଖାଏଁ ଦୁଇଟି ୟୁନିଟ୍ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ଶକ୍ତି ସୁରକ୍ଷା ବୃଦ୍ଧି କରିବା ସହ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ‘ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍’ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହା ଘରୋଇ କୋଇଲା ସମ୍ପଦର ସ୍ୱଚ୍ଛ ବ୍ୟବହାରକୁ ପ୍ରୋତ୍ସାହିତ କରିବ । ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ଏବଂ ସ୍ଥାନୀୟ ଅଞ୍ଚଳରେ ନୂତନ ଶିଳ୍ପ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଭୁବନେଶ୍ୱରରେ ଏକ ୩୦୦ ଟିପିଡି ଉତ୍ସ-ପୃଥକୀକରଣ ପୌର କଠିନ ବର୍ଜ୍ୟବସ୍ତୁ ଆଧାରିତ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସିଧାସଳଖ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ଉପରେ ଏକ ନୂତନ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର-ହରଭଙ୍ଗା ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଏବଂ ନୂଆପଡ଼ାରୁ ଘାଟିପଡ଼ା ପର୍ଯ୍ୟନ୍ତ ଏନ୍ ଏଚ୍-୩୫୩ର ଏକ ଅଂଶକୁ ଚାରି ଲେନ୍ ବିଶିଷ୍ଟ କରାଯିବ। କୁସୁମଡିହି ବୃହତ ଉଠା ଜଳସେଚନ ପ୍ରକଳ୍ପ, ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ରାଇରଙ୍ଗପୁରରେ ଇନ୍ ଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସ ଇତ୍ୟାଦିର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ଏହାବ୍ୟତୀତ ବୌଦ୍ଧଠାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୋଠା, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର ମଧ୍ୟ ଉଦ୍ ଘାଟନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ସାଧାରଣ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟରେ । ଏନ୍ ଏଚ୍-୫୭ରେ ନୟାଗଡ଼ ଟାଉନ ବାଇପାସ୍, କୁସୁମି ସ୍ମାର୍ଟ ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ୍ ଭାଗ ପ୍ରକଳ୍ପ ଆଦି ରହିଛି ।