ଗରଦପୁର : ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ପୀଠ କୁଦାନଗରୀ ପର୍ଯ୍ୟଟନସ୍ଥଳୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟାର ଗରଦପୁର ବ୍ଲକ ଗସ୍ତ ଅବସରରେ ଏହି ପ୍ରାଚୀନ ପୀଠ ପରିଦର୍ଶନ କରି ଏହାର ଭିତ୍ତିଭୂମି ଏବଂ ସାମଗ୍ରିକ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ କୁଦାନଗରୀ ପର୍ଯ୍ୟଟନସ୍ଥଳୀରେ ଥିବା ପାନ୍ଥ ନିବାସର ଆଧୁନିକୀକରଣ ଏବଂ ସେଠାରେ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନଙ୍କ ରହଣି ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁବିଧାରେ ରହିପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହା ସହିତ ଏହି ପ୍ରସିଦ୍ଧ ପୀଠରେ ଥିବା ସମସ୍ତ ଦେବାଦେବୀ ମନ୍ଦିରର ସୁପରିଚାଳନା, ମାଆ ଦକ୍ଷିଣକାଳୀଙ୍କ ପୀଠର ସୌନ୍ଦର୍ଯ୍ୟକରଣ ଏବଂ ସ୍ଥାନୀୟ ଆକୁଳିବାବାଙ୍କ ମଠ ପରିସରରେ ଥିବା ଗୋଶାଳାର ସାମଗ୍ରିକ ସୁଧାର ଲାଗି ଜିଲ୍ଲାପାଳ ସ୍ଥାନୀୟ ଜନସାଧାରଣ ଓ କର୍ମକର୍ତ୍ତାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

କୁଦାନଗରୀ ପୀଠ ହେଉଛି ପୁରାଣ ପ୍ରସିଦ୍ଧ ଶ୍ରୀମଦ ଭାଗବତ ସତସଙ୍ଗର ଏକ ଅତି ପ୍ରାଚୀନ ଏବଂ ପବିତ୍ର ସ୍ଥଳୀ। ଏଠାରେ ବେଦବ୍ୟାସ ନନ୍ଦନ ଶୁକମୁନି ଏବଂ ରାଜା ପରିକ୍ଷିତଙ୍କ ପ୍ରାଚୀନ ଗାଦି ସମେତ ବହୁ ଦେବାଦେବୀଙ୍କ ଆଧ୍ୟାତ୍ମିକ ପୀଠ ରହିଛି। ବିଶେଷ କରି ମାଆ ଦକ୍ଷିଣକାଳିକାଙ୍କ ବିଜେସ୍ଥଳୀ ଭାବେ ଏହି ସ୍ଥାନର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଥିବାରୁ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ରାଜ୍ୟର କୋଣଅନୁକୋଣରୁ ପ୍ରତିଦିନ ଶତାଧିକ ଭକ୍ତଙ୍କ ସୁଅ ଛୁଟିଥାଏ। ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୀଠକୁ ସଂଯୋଗ କରୁଥିବା ରାସ୍ତାଘାଟର ଉନ୍ନତିକରଣ, ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ଏବଂ ସାର୍ବଜନୀନ ଆଲୋକୀକରଣ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଶୁକପରିକ୍ଷିତ ସାଂସ୍କୃତିକ ପରିଷଦର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ।
ଜିଲ୍ଲାପାଳଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ସମୟରେ ଗରଦପୁର ବିଡ଼ିଓ ଆଲୋକ ସେଠୀ, ତହସିଲଦାର ଅମିତ ହୋତାଙ୍କ ସମେତ ବିଜେପି ନେତା ତେଜେଶ୍ବର ପରିଡ଼ା, ଶୁକପରିକ୍ଷିତ ସାଂସ୍କୃତିକ ପରିଷଦର ସଭାପତି ସଞ୍ଜୟ ରାଉତ, ସଂପାଦକ ଜ୍ଞାନବଲ୍ଲଭ ମହାନ୍ତି, ମା ଦକ୍ଷିଣକାଳୀ ଟ୍ରଷ୍ଟର ସଭାପତି ବନବିହାରୀ ପାତ୍ର, ସଂପାଦକ ଗୁରୁଚରଣ ମିଶ୍ର, ସମାଜସେବୀ ଜ୍ଞାନରଞ୍ଜନ ପାତ୍ର ଏବଂ ବିଧାୟକ ପ୍ରତିନିଧି ଖଗେଶ୍ବର ଦାସଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଏହି ସକରାତ୍ମକ ଆଭିମୁଖ୍ୟ ଏବଂ ପ୍ରତିଶ୍ରୁତି ପରେ ଆଗାମୀ ଦିନରେ କୁଦାନଗରୀ ଏକ ପ୍ରମୁଖ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
