ବାରିପଦା : ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ଚଳିତ ମାସ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରୁ ୩୦ ଜଣ ଶ୍ରଦ୍ଧାଳୁ ଯୋଗଦେଇ ପବିତ୍ର ସୋମନାଥ ଧାମ ଦର୍ଶନ ପାଇଁ ଯାତ୍ରା କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ।
ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ନାୟକ କହିଥିଲେ ଯେ, ସୋମନାଥ ସ୍ୱାଭିମାନ ପର୍ବ କେବଳ ଏକ ତୀର୍ଥଯାତ୍ରା ନୁହେଁ, ବରଂ ଏହା ଶ୍ରଦ୍ଧା, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ସମନ୍ୱୟ । ଏଭଳି ଯାତ୍ରା ମାଧ୍ୟମରେ ଲୋକମାନେ ନିଜର ଆଧ୍ୟାତ୍ମିକ ଚେତନାକୁ ସୁଦୃଢ଼ କରିବା ସହ ଭାରତର ସମୃଦ୍ଧ ସାଂସ୍କୃତିକ ଓ ଧାର୍ମିକ ପରମ୍ପରା ସହ ଅଧିକ ନିବିଡ଼ ଭାବେ ଯୋଡ଼ି ହୋଇପାରିବେ । ଏହା ସାମାଜିକ ସରସତା, ନୈତିକ ମୂଲ୍ୟବୋଧ ଏବଂ ଜାତୀୟ ଏକତାର ଭାବନାକୁ ମଧ୍ୟ ଅଧିକ ସୁଦୃଢ଼ କରିଥାଏ ।
ସେ ଆହୁରି କହିଥିଲେ ଯେ, ଭାରତର ପ୍ରାଚୀନ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ବିଶ୍ୱ ଦରବାରରେ ଦେଶର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ପରମ୍ପରାର ସଂରକ୍ଷଣ ଓ ପ୍ରସାର ସହ ନୂତନ ପିଢ଼ି ମଧ୍ୟରେ ଆଧ୍ୟାତ୍ମିକ ମୂଲ୍ୟବୋଧର ବିକାଶ ପାଇଁ ଏଭଳି ଯାତ୍ରା ବେଶ୍ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ କଲେକ୍ଟର ମାନସୀ ତରାଇ ମଧ୍ୟ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କର ଯାତ୍ରା ସୁସ୍ଥ, ସୁରକ୍ଷିତ ଓ ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ ।
ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନେ ଏହି ସୁଯୋଗ ପାଇଁ ଆନନ୍ଦ ପ୍ରକାଶ କରିଥିଲେ ଏବଂ ପବିତ୍ର ସୋମନାଥ ଧାମ ଦର୍ଶନ ନିଜ ଜୀବନର ଏକ ସ୍ମରଣୀୟ ଅନୁଭୂତି ହେବ ବୋଲି ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଡଃ ଶୁଭାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
