97f22b80 8f53 47d7 9194 af9cf65638f8

ସନାତନ ଧର୍ମର ସୁରକ୍ଷା ଓ ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞ ଏକ ମହାନ ସଂକଳ୍ପ: ଲିଙ୍ଗରାଜ କ୍ଷେତ୍ରରେ ମହାରୁଦ୍ରାଭିଷେକ ଅନୁଷ୍ଠିତ

ରାଜ୍ୟ

ଭୁବନେଶ୍ୱର : ପବିତ୍ର ପୁରୁଷୋତ୍ତମ ମାସର ପୁଣ୍ୟ ଅବସରରେ ସନାତନ ଧର୍ମର ସୁରକ୍ଷା ଏବଂ ବିଶ୍ୱ ଶାନ୍ତି ତଥା ଜନକଲ୍ୟାଣର ମହାନ ଉଦ୍ଦେଶ୍ୟ ନେଇ ଓଡ଼ିଶା ବ୍ରାହ୍ମଣ ମହାସଂଘ, ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଡାକରା ବିଭୀଷଣ ମନ୍ଦିର ପରିସରରେ ଆୟୋଜିତ ଏହି ମହୋତ୍ସବରେ ମନ୍ତ୍ରପୂତ ରୁଦ୍ରାଭିଷେକ ଏବଂ ହୋମ ଯାଗଯଜ୍ଞ ଆଦି ଶାସ୍ତ୍ରୀୟ ବିଧି ବିଧାନ ପଣ୍ଡିତ ସୁନୀଲ କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଞ୍ଚ ଜଣ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ୱାରା ମହାସମାରୋହରେ ସମ୍ପନ୍ନ ହୋଇଛି। ଭାରତୀୟ ସଂସ୍କୃତିରେ ଯଜ୍ଞର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଯଜ୍ଞ କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ପ୍ରକୃତି ଓ ପରିବେଶର ଶୁଦ୍ଧିକରଣ ସହ ସମଗ୍ର ବିଶ୍ୱରେ ସକାରାତ୍ମକ ଶକ୍ତିର ସଞ୍ଚାର କରିବା ପାଇଁ ଏକ ଦିବ୍ୟ ବିଜ୍ଞାନ। ଯଜ୍ଞର ଆହୁତି ମାଧ୍ୟମରେ ସୃଷ୍ଟିର କଲ୍ୟାଣ ହୋଇଥାଏ ଏବଂ ଏହା ମାନବ ସମାଜକୁ ତ୍ୟାଗ ଓ ଶାନ୍ତିର ଶିକ୍ଷା ପ୍ରଦାନ କରିଥାଏ।

7d1df519 280e 43dc a6c4 ab00a5686cc072622e47 8a77 4153 b670 766ad71db57d

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ସନାତନ ପରମ୍ପରା ପ୍ରତି ଥିବା ନିଜର ଶ୍ରଦ୍ଧା ପ୍ରକଟ କରିଥିଲେ। ସେ ଏହି ସମସ୍ତ କାର୍ଯ୍ୟର ଭୂୟସୀ ପ୍ରଶଂସା କରି କହିଥିଲେ ଯେ, ଆମର ଧର୍ମ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଭୁବନେଶ୍ୱରର ପ୍ରତିଟି ମନ୍ଦିର ପରିସରରେ ଏଭଳି ଯଜ୍ଞ ଓ ରୁଦ୍ରାଭିଷେକ ଅନୁଷ୍ଠିତ ହେବା ଆବଶ୍ୟକ। ବିଶେଷକରି ସାମ୍ପ୍ରତିକ ସମାଜର ଯୁବପିଢ଼ି କିପରି ଆମର ପୁରାତନ ମୂଲ୍ୟବୋଧ ଏବଂ ଏହି ମହାନ ପରମ୍ପରା ପ୍ରତି ଆକୃଷ୍ଟ ହେବେ, ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ। ମହାସଂଘର ସଭାପତି ରମାକାନ୍ତ ମିଶ୍ର, ଉପସଭାପତି ପଦ୍ମନାଭ ଦାଶ ଏବଂ ସମ୍ପାଦକ ପରମେଶ୍ୱର ମିଶ୍ରଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ କୁମାର ମିଶ୍ର, ଶରତଚନ୍ଦ୍ର କର, ଦେବେନ୍ଦ୍ର କୁମାର ତ୍ରିପାଠୀ, କୈଳାସ ଚନ୍ଦ୍ର ରଥ, ବିରଜା ପ୍ରହରାଜ ଶତପଥୀ ଏବଂ ହୃଷୀକେଶ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଦିବ୍ୟ ଯଜ୍ଞକୁ ସଫଳ କରାଇଥିଲେ।