Asqsad e1781453494248 300x200

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

ରାଜ୍ୟ

ଭୁବନେଶ୍ବର : ଆସନ୍ତା ୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ, କାରକେଡ୍‌ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ସମସ୍ତ କାର୍ଯ୍ୟକ୍ରମର ସମନ୍ୱୟ, ବିମାନବନ୍ଦରରେ ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ବାସ୍ଥ୍ୟସେବା, ଅଗ୍ନିଶମ ସେବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ସଡ଼କ ମରାମତି, ପରିମଳ ବ୍ୟବସ୍ଥା, ଟେଲି ଯୋଗାଯୋଗ, ଗଣମାଧ୍ୟମ ପରିଚାଳନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ରାଧା କିଶନ ଶର୍ମା ପ୍ରାରମ୍ଭିକ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ସମ୍ପୃକ୍ତ ବିଭାଗ ଏବଂ ଜିଲା ପ୍ରଶାସନକୁ ପରସ୍ପର ସମନ୍ୱୟ ରକ୍ଷା କରି ନିୟମିତ ତଦାରଖ କରିବା ସହ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଉନ୍ନୟନ ଆୟୁକ୍ତ ଡିକେ ସିଂ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ବରିଷ୍ଠ ଅଧିକାରୀ, ଦୂରଦର୍ଶନ, ଟେଲିକମ ସେବା ଆଦି ସଂସ୍ଥାର ପଦାଧିକାରୀ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲାପାଳ, ପୂର୍ବାଞ୍ଚଳ ପୁଲିସ ଆଇଜି, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଆଭାସି ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଆସନ୍ତା ୨୦ରେ ରାଇରଙ୍ଗପୁରସ୍ଥିତ ଦାଣ୍ଡବୋଷଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ସାଧାରଣ ସଭା ପୂର୍ବରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରସ୍ଥିତ ପାହାଡ଼ପୁର ଯାଇ ସେଠାରେ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକ ପ୍ରଦର୍ଶନୀ ପରିଦର୍ଶନ କରିବେ ବୋଲି ସୂଚନା ରହିଛି।