ନୂଆଦିଲ୍ଲୀ : ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।
ମଙ୍ଗଳବାର ଦିଲ୍ଲୀରେ ସୋନିଆଙ୍କ ବାସଭବନରେ ହୋଇଥିବା ବୈଠକରେ, ଦୁଇ ନେତ୍ରୀ ଇଣ୍ଡି ମେଣ୍ଟ ବୈଠକ ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସମନ୍ୱୟ ରକ୍ଷା କରି ରଣନୀତି ଅନୁସାରେ ଆଗକୁ ବଢ଼ିବା ଏବଂ ସମ୍ପ୍ରତି ବଙ୍ଗ ନିର୍ବାଚନରେ ବିଜେପିଠାରୁ ଟିଏମସିର ପରାଜୟ ପରେ ତୃଣମୂଳ ସଦସ୍ୟ ଦଳ ଛାଡ଼ିବା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଠାରୁ ହାରିବା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ଏକାଠି ରଖିବା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଆଭ୍ୟନ୍ତରୀଣ ଝଟକା ମଧ୍ୟରେ ବିଧାୟକ ଏବଂ ସାଂସଦମାନେ ଦଳ ବିଭାଜନ କରିବା ସହ ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ପ୍ରଥମେ ବିଧାୟକ ରିତବ୍ରତ ବାନାର୍ଜୀ ଗତ ସପ୍ତାହରେ ୫୮ ଜଣ ବିଧାୟକଙ୍କ ସମର୍ଥନ ନେଇ ବିରୋଧୀ ଦଳ ନେତା ପଦ ଦାବି କରିଥିଲେ। ଏବେ ସାଂସଦ କାକୋଲି ଘୋଷ ୧୯ ଜଣ ବିଦ୍ରୋହୀ ସାଂସଦଙ୍କ ସମର୍ଥନରେ ଦଳରୁ ଅଲଗା ହେବା ସହ ବିଜେପି ନେତୃତ୍ୱାଧୀନ ଏନଡ଼ିଏକୁ ସମର୍ଥନ କରିବା ପାଇଁ ପ୍ରକାଶ କରିଛନ୍ତି।
