Mohan majhi 1

‘ଡବଲ୍ ଇଞ୍ଜିନ’ ସରକାରରେ ଓଡ଼ିଶାର ବିକାଶ ପ୍ରକ୍ରିୟା ଅଗ୍ରସର ହେଉଛି: ମୁଖ୍ୟମନ୍ତ୍ରୀ

ରାଜ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ଏବଂ ରାଜ୍ୟର ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ସମନ୍ୱୟ ବଳରେ ଓଡ଼ିଶାର ବିକାଶ ପ୍ରକ୍ରିୟା ଏକ ପ୍ରଭାବଶାଳୀ ଗତି ଦେଇ ଅଗ୍ରସର ହେଉଛି। ଯୋଗାଯୋଗ, ଶିଳ୍ପ, ଭିତ୍ତିଭୂମି, କୃଷି, ନାରୀ ସଶକ୍ତୀକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାର ଦୃଢ଼ ରୂପାୟନ ମାଧ୍ୟମରେ ପ୍ରତିଟି ନାଗରିକଙ୍କୁ ସଶକ୍ତ କରାଯାଉଛି।
କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରେଳ ବଜେଟ୍‌ର ଅଭୂତପୂର୍ବ ଅଭିବୃଦ୍ଧି, ସାଗରମାଳା ପ୍ରକଳ୍ପ, ପିଏମ୍ କିଷାନ, ଲକ୍ଷପତି ଦିଦି ଏବଂ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ରାଜ୍ୟର ସାମଗ୍ରିକ ବିକାଶକୁ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଛି। କେନ୍ଦ୍ର ସରକାରଙ୍କ ସହଯୋଗୀ ମାର୍ଗଦର୍ଶନ ଓ ଆମ ସରକାରଙ୍କ ନିଷ୍ଠାପର କାର୍ଯ୍ୟଶୈଳୀ ଦ୍ୱାରା ଓଡ଼ିଆ ଅସ୍ମିତାର ସୁରକ୍ଷା ସହ ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ଏହି ପ୍ରତିଶ୍ରୁତିବଦ୍ଧ ଯାତ୍ରା ନିରନ୍ତର ଜାରି ରହିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କେନ୍ଦ୍ର ସରକାରଙ୍କ ନିରନ୍ତର, ସ୍ୱଚ୍ଛ ସେବା, ସୁଦୃଢ଼ ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ଅସାଧାରଣ, ସଫଳ ବର୍ଷ ପୂର୍ଣ୍ଣ ହୋଇଛି। ସବୁଠାରୁ ଗୌରବମୟ କଥା ହେଉଛି, ଆସନ୍ତାକାଲି ମୋଦୀ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଶାସନମୁଖ୍ୟ ଭାବେ ସର୍ବାଧିକ ସମୟ (୪,୩୯୯ ଦିନ) ସେବା କରିବାର ଏକ ଅଦ୍ଭୁତପୂର୍ବ, ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି। ଏହି ମହାନ୍ ଅବସରରେ ମୁଁ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଓ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘ, ନିରାମୟ ଜୀବନ କାମନା କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ସେବାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ, ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ରାଜ୍ୟ କ୍ୟାବିନେଟ୍‌ର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ଥିଲେ। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରକଲ୍ୟାଣକାରୀ ନୀତି ଯୋଗୁଁ ସମଗ୍ର ଦେଶ ସହିତ ଆମ ଓଡ଼ିଶାରେ ସୃଷ୍ଟି ହୋଇଥିବା ପ୍ରଗତିର ନୂତନ ଦିଗନ୍ତ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।