ବାରିପଦା : ସରିଗଲା ମହୋତ୍ସବ ଛାଡିଗଲା ସ୍ମୃତି l କଳାକାର ମାନଙ୍କ ସୁନ୍ଦର ଅଭିନୟ ଦର୍ଶକମାନଙ୍କ ମନ ଭିତରେ ଅଭୁଲା ହୋଇ ରହିଗଲା l ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ଆୟୋଜିତ ୬ ଦିନିଆ ନାଟ୍ୟ ମହୋତ୍ସବ ସଫଳତାର ସହ ଉଦଯାପିତ ହୋଇଯାଇଛି I ପ୍ରତ୍ୟେକ ସନ୍ଧ୍ୟାରେ ପରିବେଷିତ ଉଚ୍ଚକୋଟିର ନାଟକ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ I ଉଦଯାପନୀ ସମାରୋହ ଅବସରରେ ଆଜି ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାର ତରଫରୁ ନାଟ୍ୟ ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ନାଟ୍ୟସଂସ୍ଥାର ମୋଟ ୬୮ ଜଣ ଅଭିନେତା ଓ ଅଭିନେତ୍ରୀଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I
ତତସହିତ ସମସ୍ତ ନାଟକର ମଞ୍ଚ ପରିଚାଳକଙ୍କ ସମେତ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ପରିବାରର ସର୍ବକନିଷ୍ଠ ସଦସ୍ୟ ଆୟୁଷ କୁମାର ଗିରିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇ ଉତ୍ସାହିତ କରାଯାଇଥିଲା I ପରବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମ୍ପାଦକ ଅସିତ କୁମାର ଗିରି, ବରିଷ୍ଠ ଉପଦେଷ୍ଟା ତଥା ପ୍ରତିଷ୍ଠିତ ଅଭିନେତା ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ, ଉପ ସଭାପତି ଅନ୍ନଦା ଶଙ୍କର ଦାଶ ଓ ଡଃ ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନାଟକକୁ ବଞ୍ଚାଇରଖିବା ପାଇଁ ସୁଚିନ୍ତିତ ମତ ପୋଷଣ କରିଥିଲେ I ପ୍ରକାଶ ଥାଉକି ଏହି ମହୋତ୍ସବରେ ବହୁ ଯୁବ ଅଭିନେତା ଓ ଅଭିନେତ୍ରୀ ପ୍ରଥମ ଥର ପାଇଁ ମଞ୍ଚରେ ପାଦଦେଇ ବେଶ ଉଚ୍ଚମାନର ଅଭିନୟ କରିଥିଲେ ବୋଲି ବରିଷ୍ଠ ସଦସ୍ୟ ମାନେ ପ୍ରକାଶ କରିଛନ୍ତି I ସହ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I
