ଗୋପ : ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଐତିହ୍ୟ ଓ କୀର୍ତ୍ତିରାଜି ସଂପନ୍ନ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ଏଏସଆଇ ଡିଜି ୟଦୁବୀର ସିଂ ରାଓ୍ବତ ଶନିବାର ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଏସଆଇ ମହାନିର୍ଦ୍ଦଶେକଙ୍କ ସହିତ ସୂର୍ଯ୍ୟମନ୍ଦିର କୋର କମିଟି ସଦସ୍ୟ, ବୈଷୟିକ ଟିମ, ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ମାଡ୍ରାସର ପ୍ରଫେସର ସାମିଲ ହୋଇ ବାଲି କାଢିବା ପାଇଁ ବିଭିନ୍ନ ଦିଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଏସଆଇ ମହାନିର୍ଦ୍ଦେଶକଙ୍କ ସମେତ ଏହି ବିଶେଷଜ୍ଞ ଟିମ ସୂର୍ଯ୍ୟମନ୍ଦିରର ପଶ୍ଚିମ ଦ୍ବାରର ୮୦ ଫୁଟ ଉପରେ ପ୍ରଥମ ପିଢ଼ରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ହୋଇଥିବା ଦୁଇଟି କୋର ଡ୍ରିଲର ସ୍ଥାନକୁ ଦେଖିବା ସହ ଏହାର ସ୍ଥିତି ଯାଞ୍ଚ କରିଥିଲେ।
ସୂର୍ଯ୍ୟମନ୍ଦିର ଗର୍ଭ ଗୃହରୁ ବାଲି କାଢ଼ିବା ପ୍ରକ୍ରିୟା ସହଜ ସାଧ୍ୟ ନୁହେଁ। ଏଥିପାଇଁ ସମୟ ଲାଗିବା ସହିତ ବୈଷୟିକ ଟିମ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଏଏସଆଇ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗର୍ଭଗୃହର ସ୍ଥିତି ଠିକ ଥିବା ବେଳେ ଆସ୍ତେ ଆସ୍ତେ ଏହି ପ୍ରକ୍ରିୟା ଆଗକୁ ବଢିବ ବୋଲି ଶ୍ରୀ ରାଓ୍ବତ ମତବ୍ୟକ୍ତ କରିଛନ୍ତି। ଏହି ଗ୍ରସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ କୋର କମିଟି ସଦସ୍ୟ ଇଂଜିନିୟର ଅଶୋକ ବାସା, ପ୍ରତ୍ନତତ୍ୱବିତ୍ତ ଡଃ ଜୀବନ ପଟ୍ଟନାୟକ, ଡଃ ସୁନୀଲ ପଟ୍ଟନାୟକ, ଡ଼ଃ ଏନସି ପାଲ, ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେ ଡକ୍ଟର ମିଲନ କୁମାର ଚାୱେଲ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଚିତ୍ତରଞ୍ଜନ ଦାଶ, ଇଂଜିନିୟର ଲୋକନାଥ ମହାରଣା, ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ, ଏଏସଆଇ କେମେଷ୍ଟି ସୁପରିଟେଣ୍ଡେଣ୍ଟ ଏସଏସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ପ୍ରକାଶ ଥାଉ କି ଗତ ୨୦୨୨ ମସିହା ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କାର୍ଯ୍ୟ ସଂପାଦନ କରିଥିଲେ। ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ୩ବର୍ଷର ସମୟସୀମା ଶେଷ ହୋଇଯାଇଥିଲେ ମଧ୍ୟ ପ୍ରକ୍ରିୟା ଆଗକୁ ନ ବଢ଼ିବା ପାଇଁ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ଏଏସଆଇ ଡିଜି ଅସନ୍ତୋଷ ପ୍ରକାଶ କରିଥିଲେ। ଏହାସହ ପ୍ରକ୍ରିୟା ଆଗକୁ ବଢାଇବା ପାଇଁ ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିବା ପାଇଁ ଉପସ୍ଥିତ ବିଶେଷଜ୍ଞ ଟିମ ଓ ଏଏସଆଇର ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗର୍ଭଗୃହକୁ ଖନନ କାର୍ଯ୍ୟ ପାଇଁ ୱେଲ୍ଡର, ଷ୍ଟୋନ୍ ଡ୍ରେସର, ଷ୍ଟୋନ୍ କଟର, ଆର୍କିଟେକ୍ଚର୍ ମାନଙ୍କୁ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟର ଟେକ୍ନିକାଲ ପାରାମିଟର ତଦାରଖ ନିମନ୍ତେ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ସପୋର୍ଟ ସିଷ୍ଟମ ଟିମ୍, ଗୋଟିଏ ଡକ୍ୟୁମେଣ୍ଟେସନ ଟିମ୍, ମେକାନିକାଲ ସପୋର୍ଟ ଟିମ୍, ଇନଷ୍ଟ୍ରୁମେଣ୍ଟ ଓ ଇଲୋକ୍ରୋନିକ୍ସ ଟିମ୍ ଏବଂ ଗୋଟିଏ କଂଜର୍ଭେସନ ଟିମ୍ ଗଠନ କରାଯାଇଛି। ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ଗଠିତ ବିଭିନ୍ନ ବୈଷୟିକ ଓ ବିଶେଷଞ ଟିମ ପର୍ଯ୍ୟାୟ କ୍ରମେ ମନ୍ଦିରର ବାଲି କାଢିବା ପ୍ରକ୍ରିୟାର ବିଭିନ୍ନ ଦିଗରୁ ସ୍ଥିତି ଅନୁଧ୍ୟାନ କରାଯାଇ ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟାକୁ ଆଗକୁ ବଢାଯିବ ବୋଲି ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ମିଲନ କୁମାର ଚୈଲେ ମତବ୍ୟକ୍ତ କରିଛନ୍ତି।
