ବାରିପଦା : ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ ପାଇଁ ଟାଟା ପାୱାରକୁ ରାଜ୍ୟ ସରକାର ଦେଇଥିବା ଅର୍ଥର ସିଏଜି ଅଡିଟ୍ କରି ସାର୍ବଜନୀନ କରିବା ଓ ଟାଟା ପାୱାର ର ଘନ ଘନ ବିଜୁଳି କାଟ ସହ ଲୋଭୋଲଟେଜ ଏବଂ ପ୍ରବଳ ଗରମ ରେ ନିରବଛିନ୍ନ ବିଜୁଳି ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଶ୍ରୀ ତାପସ ମହାନ୍ତ ଙ୍କୁ ଦାବିପତ୍ର ମିଳିତ ବିରୋଧୀ ଦଳ କଂଗ୍ରେସ, ସିପିଆଈ, ସିପିଏମ ତରଫରୁ ପ୍ରଦାନ କରାଯାଇଅଛି l
ରାଜ୍ୟରେ ବିଦ୍ୟୁତ୍ ବଣ୍ଟନ ଓ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଟାଟା ପାୱାରକୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।କିନ୍ତୁ ପରିତାପର ବିଷୟ ଯେ ଇତି ମଧ୍ୟରେ ୪/୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ବ୍ୟବସ୍ଥାର ସୁଦୃଢ ଏବଂ ସୁଷମ ବଣ୍ଟନ ହୋଇପାରିନାହିଁ। ଦେଖାଯାଇଛି ସହରାଞ୍ଚଳର ତଳିଆ ଅଞ୍ଚଳ ସମେତ ଗ୍ରାମାଞ୍ଚଳରେ ଘନ ଘନ ବିଦ୍ୟୁତ୍ କାଟ ସହ ଲୋଭୋଲଟେଜ, ସଂଯୋଗ ବିଚ୍ଛିନ୍ନ ପରେ ସ୍ଥାନୀୟ ଜନତା ବାରମ୍ବାର ଅଭିଯୋଗ କଲାପରେ ବି ମରାମତି ପାଇଁ ୨/୩ ଦିନରୁ ଉର୍ଦ୍ଧ୍ବ ସମୟ ଲାଗିବା, ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଉପଭୋକ୍ତା ଆଉଟୁ ପାଉଟୁ ନ ହେବା, ଚାଷୀର ଚାଷକୁ ଜଳ ଯୋଗାଣ, ଶିକ୍ଷାଳୟ, ଡାକ୍ତରଖାନା, ସରକାରୀ ବେସରକାରୀ କାର୍ଯ୍ୟାଳୟ ଇତ୍ୟାଦି ବିଭିନ୍ନ ସ୍ଥାନ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ ନ ହେବା ଭଳି ପରିସ୍ଥିତିର ସୁଧାର ଆଣିବା ପାଇଁ ରାଜ୍ୟ ସରକାର ପାଖାପାଖି ୨୭ ହଜାର କୋଟି ଟଙ୍କା ଟାଟା ପାୱାରକୁ ଦେଇଛନ୍ତି। ଯେଉଁଥିରେକି ରାଜ୍ୟ ସରକାରଙ୍କ ଅଂଶଧନ ୪୯ ଶତାଂଶ । ରାଜ୍ୟବାସୀଙ୍କର ଟିକସ ଅର୍ଥରେ ତିଆରି ରାଜ୍ୟ ସରକାରଙ୍କ ୪୯ ଶତାଂଶ ଅର୍ଥ ଧନର ସଠିକ୍ ବିନିଯୋଗ ହୋଇଛି କି ନାହିଁ, ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ରହିଛି। ପୂର୍ବତନ ଓଇଆରସି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ଜେନା ରାଜ୍ୟସରକାରଙ୍କୁ ଦେଇଥିବା ରିପୋର୍ଟ ମଧ୍ୟ ଏହାର ଅଂଶ ବିଶେଷ।
ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ଵାର୍ଥକୁ ସମ୍ମାନ ଜଣାଇ, ଟାଟା ପାୱାରକୁ ରାଜ୍ୟ ସରକାର ଦେଇଥିବା ଅର୍ଥର ସଠିକ୍ ଉପଯୋଗ ହୋଇଛି କି ନାହିଁ ତାହାକୁ ତୁରନ୍ତ ସିଏଜି ଅଡିଟ୍ କରାଇ ସାର୍ବଜନୀନ କରିବାକୁ ଦାବୀପତ୍ର ରେ ଉଲେଖ କରାଯାଇଅଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ କଂଗ୍ରେସ ଦଳର ଶାନ୍ତନୁ ପାଲ, ସୁସ୍ମିତା ଘୋଷଲ, ନିହାର ରଞ୍ଜନ ମଢୁଆଳ, ଭବାନୀ ଶଙ୍କର ସାହୁ, ଗୋସାଇଁ ଚରଣ ମହାନ୍ତ,ରତିକାନ୍ତ ଚୌଧୁରୀ ସିପିଆଈ ର ଜଗବନ୍ଧୁ ମିଶ୍ର, ଶ୍ରୀକାନ୍ତ ସାମଲ,ମୁକୁନ୍ଦ ବିଶୋଇ, କାଁହୁ ଚରଣ ବେହେରା, ସିପିଏମ ର ରବି ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ ।
