IMG 20260602 WA0183

ପି ଆର ଏମ ମେଡିକାଲ କଲେଜ, ନୂତନ ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଜେଡି ପକ୍ଷରୁ ଦାବୀପତ୍ର

ରାଜ୍ୟ
ବାରିପଦା : ପି.ଆର୍.ଏମ୍. ମେଡିକାଲ କଲେଜ ଏବଂ ନୂତନ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତରିତ କରି କାର୍ଯ୍ୟକ୍ଷମ କରିବା ଦାବିରେ ବିଜୁ ଜନତା ଦଳ, ବାରିପଦା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ସାନନ୍ଦ ମାର୍ଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ଦଳର ଦାବି ଓ ଜନସାଧାରଣଙ୍କ ଉଦ୍ବେଗ ସମ୍ପର୍କରେ ଅବଗତ କରାଇଥିଲେ। ସେ ୧୫ ଦିନ ମଧ୍ୟରେ ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ କରାଗଲେ ଗଣଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି।
*ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ସ୍ଥାପନା କରାଯାଇଥିଲା।* ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ *୧୮୫ କୋଟି ଟଙ୍କା* ଏବଂ ଦ୍ୱିତୀୟ ପର୍ଯ୍ୟାୟରେ *୨୪୮ କୋଟି* ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨୦୨୪ ମସିହାରେ ନୂତନ ହସ୍ପିଟାଲ ଭବନକୁ ଲୋକାର୍ପଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଭାବେ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇପାରି ନାହିଁ।
ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜର ମତ ରଖିବା ବେଳେ ଶ୍ରୀ ମାର୍ଣ୍ଡି କହିଥିଲେ ଯେ, ମେଡିକାଲ କଲେଜ ସଂଲଗ୍ନ ନୂତନ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଓ ଭିତ୍ତିଭୂମି ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଥିବା ସତ୍ତ୍ୱେ ଏହାକୁ କାର୍ଯ୍ୟକ୍ଷମ ନ କରାଯିବା ଜିଲ୍ଲାବାସୀଙ୍କ ସହ ଏକ ପ୍ରକାର ଅବହେଳା। ସେ ଆହୁରି କହିଥିଲେ ଯେ, ହସ୍ପିଟାଲ କର୍ତ୍ତୃପକ୍ଷ ଗଣମାଧ୍ୟମରେ *”ରଙ୍ଗମରା କାମ ସରିଯାଇଛି, ମୁଖ୍ୟମନ୍ତ୍ରୀ ସମୟ ଦେଲେ ଉଦ୍ଘାଟନ ହୋଇ କାର୍ଯ୍ୟକ୍ଷମ ହେବ”* ବୋଲି ବୟାନ ଦେବା ଅତ୍ୟନ୍ତ ଦୁଃଖଦାୟକ। ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେବଳ ଉଦ୍ଘାଟନ ସମୟ ଅପେକ୍ଷାରେ ଅଟକାଇ ରଖିବା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ।
ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, *ମୟୂରଭଞ୍ଜ ଭଳି ଏକ ବୃହତ୍ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉନ୍ନତ ଚିକିତ୍ସା ସୁବିଧାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। କିନ୍ତୁ ବିଭିନ୍ନ ସମୟରେ ରୋଗୀମାନଙ୍କୁ କଟକ, ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ବଡ଼ ହସ୍ପିଟାଲକୁ ରେଫର କରାଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏହି ମେଡିକାଲ କଲେଜକୁ “ରେଫର୍ ହସ୍ପିଟାଲ୍” ବୋଲି କହିବାର ପ୍ରବଣତା ବଢ଼ିଛି। ଏଭଳି ଟ୍ୟାଗଲାଇନ ଏକ ମେଡିକାଲ କଲେଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ସେ କହିଛନ୍ତି।
ଏହି ଅବସରରେ ଶ୍ରୀ ମାର୍ଣ୍ଡି କ୍ଷୋଭ ପ୍ରକାଶ କରି କହିଥିଲେ, *”ମୟୂରଭଞ୍ଜବାସୀଙ୍କ ଧୈର୍ଯ୍ୟର ପରୀକ୍ଷା ଆଉ ବନ୍ଦ କରନ୍ତୁ। ନୂତନ ହସ୍ପିଟାଲକୁ ତୁରନ୍ତ ଖୋଲି ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରନ୍ତୁ, ନଚେତ୍ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ।”*
ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି ଯେ, ତୁରନ୍ତ ଆବଶ୍ୟକୀୟ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ନୂତନ ହସ୍ପିଟାଲକୁ ସାଧାରଣ ଲୋକଙ୍କ ସେବା ପାଇଁ ଖୋଲାଯାଉ। ଅନ୍ୟଥା ଆଗାମୀ ୧୫ ଦିନ ମଧ୍ୟରେ ଦୃଶ୍ୟମାନ ପଦକ୍ଷେପ ଗ୍ରହଣ ନ କରାଗଲେ ବିଜେଡି ପକ୍ଷରୁ *ବ୍ୟାପକ ଜନଆନ୍ଦୋଳନ* କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏହି ପ୍ରତିନିଧିମଣ୍ଡଳୀରେ *ରାଜ୍ୟ ସମ୍ପାଦକ ଦେବାଶିଷ ମହାନ୍ତି, ଶ୍ରୀ ଜିତେନ୍ଦ୍ର ମହାନ୍ତି, ବରିଷ୍ଠ ନେତା ପ୍ରଭାତ ନାୟକ, ଛାତ୍ର ସଭାପତି ସୁନୀଲ ନାୟକ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜୀବ ଜେନା, ପୂର୍ବତନ ଛାତ୍ର ସଭାପତି ଅଭୟ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଜିତ୍ ପଟ୍ଟନାୟକ, ବାରିପଦା ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ଆଭାସ ଦେ, ଯୁବ ନେତା ନନ୍ଦନ ଭଞ୍ଜ, ଛାତ୍ର ନେତା ବିଶ୍ୱଜିତ ପରିଚ୍ଛା, ଅମିତ ବୈଠା, ରାମଚନ୍ଦ୍ର ବିଶ୍ୱାଳ, ମନୀଷ ବେହେରା, ଶିବଶଙ୍କର ଦାସ, ସତ୍ୟବ୍ରତ ସାହୁ* ପ୍ରମୁଖ ଉପସ୍ଥିତ ଥିଲେ।ଏହି ଦାବିକୁ ନେଇ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାବାସୀଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ ଦିଗରେ ରାଜ୍ୟ ସରକାର କେବେ ପଦକ୍ଷେପ ନେବେ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।