ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ନିଷ୍ପତ୍ତି” I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ସଂଜୀବ ଦ୍ବିବେଦୀ ଓ ବିଶିଷ୍ଟ ବ୍ୟବସାୟୀ ମନୋଜ କୁମାର ଷେଣ୍ଢ ଏବଂ ପରିବାରର ମୁଖ୍ୟ ଉପଦେଷ୍ଟା ତଥା ପ୍ରତିଷ୍ଠିତ ଅଭିନେତା ନିର୍ଦ୍ଦେଶକ ଧୀର ବଶା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I
ସମ୍ପାଦକ ଅସିତ ଗିରି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I ସମ୍ଭାବନା ସାଂସ୍କୃତିକ ପରିଷଦ ପ୍ରଯୋଜିତ ଏବଂ କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ଓ ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ ନାଟକରେ ଧର୍ମପଦ ନନ୍ଦି, ଲଭରଜିତ ସାହୁ, ଅଭିଷେକ ଦାସ, ଘନଶ୍ୟାମ କର, ସତ୍ୟନାରାୟଣ ପରିଡା, ଧର୍ମଜିତ ମହାପାତ୍ର, କ୍ରିଷ୍ଣା ଦାସ ଓ ସୁଶ୍ରୀ ପ୍ରଜ୍ଞା ଅଭିନୟ କରିଥିବା ବେଳେ ସଂଗୀତରେ ସର୍ବେଶ୍ୱର ପାତ୍ର, ମଞ୍ଚସଜ୍ଜାରେ ନରସିଂହ ବାରିକ, ସହ ନିର୍ଦ୍ଦେଶନାରେ ନିକିତା ମହାନ୍ତି ଓ କାର୍ତ୍ତିକ ଚନ୍ଦ୍ର ବେହେରା, ଆଲୋକରେ ଆନିକେତ ଦା, ମଞ୍ଚ ପରିଚାଳନାରେ ହିମାଂଶୁ ସାହୁ, ଓ ନୃତ୍ୟରେ ଦେବାନନ୍ଦ ପାତ୍ର ଓ ସାଥି ସହଯୋଗ କରିଥିଲେ I ଆଜିର ସମାଜରେ ସାଧାରଣ ପରିବାରଟିଏ ଯେତେବେଳେ କୂଚକ୍ରରେ ପଡି ତଳିତଳାନ୍ତ ହୋଇଯାଏ ସେତେବେଳେ ଅନ୍ତରାତ୍ମା ବିଦ୍ରୋହୀ ହୋଇଉଠେ, ଆଉ ମନନିଏ କଠୋର ନିଷ୍ପତ୍ତି I
ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଦେଇଥିଲା I ଏହି ଅବସରରେ ନାଟ୍ୟକାର ଓ ନିର୍ଦ୍ଦେଶକଙ୍କ ସମେତ ସମସ୍ତ କଳାକାରଙ୍କୁ ଆୟୋଜକଙ୍କ ତରଫରୁ ସମ୍ମାନିତ କରାଯାଇଥିଲା I ଆସନ୍ତାକାଲି “ନୂପୁର” ସାଂସ୍କୃତିକ ପରିବାର ନିବେଦିତ ତଥା ଡଃ କୁମରମଣୀ ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ଚକ୍ରବ୍ୟୁହ” ମଞ୍ଚସ୍ଥ ହେବ ବୋଲି ଗଣମାଧ୍ୟମ ସଂଯୋଜକ ଶ୍ରୀ ସିଂହ ଜଣାଇଛନ୍ତି I
