- ବାଳକ ବିଭାଗରେ ଏନ ୱାୟ କେ, ବହଳଦା ଓ ବାଳିକା ବିଭାଗରେ ସାତକୋଶିଆ ଚମ୍ପିୟାନ
ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଏବଂ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି I ବାଳକ ବିଭାଗରେ ଏନ ୱାୟ କେ, ବହଳଦା ଦଳ ଟାଇ ବ୍ରେକର ଜରିଆରେ ୩-୦ ଗୋଲରେ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ପୂର୍ବରୁ ବାଳିକା ବିଭାଗରେ ସାତକୋଶିଆ, ଚଢେଇଗାଁ ଦଳ ୯-୦ ଗୋଲରେ ବଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା I
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଉଭୟ ବିଭାଗର ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କାନ୍ଦରା ସୋରେନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ପ୍ରସନ୍ନଜିତ ମହାନ୍ତି, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରା, ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଓ ମନୋରଞ୍ଜନ ଜୀଉ ଉପସ୍ଥିତ ଥିଲେ I
ପ୍ରକାଶ ଥାଉକି ଏହି ଚମ୍ପିୟାନସିପ ମାଧ୍ୟମରେ ଉଭୟ ବିଭାଗରୁ ମୟୁରଭଞ୍ଜ ଜିଲ୍ଲା ପାଇଁ ୨୦ ଜଣିଆ ଦଳ ଚୟନ କରାଯାଇଛି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ଏବଂ ଉଭୟ ଦଳ ସୁନ୍ଦରଗଡ଼ ଠାରେ ଜୁନ ମାସ ୧ ତାରିଖରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ ଚାମ୍ପିୟାନସିପରେ ଅଂଶଗ୍ରହଣ କରିବେ I
