ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଭୋଟର ତାଲିକା ସଂଶୋଧନ (SIR) ବୈଧ । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଭୋଟର ଯାଞ୍ଚକୁ କୋର୍ଟଙ୍କ ମଞ୍ଜୁରୀ । ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ବା ଭୋଟର ତାଲିକାର ସ୍ୱତନ୍ତ୍ର ଓ ଗଭୀର ସଂଶୋଧନ ପ୍ରକ୍ରିୟାକୁ କାଏମ ରଖିଛନ୍ତି । କୋର୍ଟ SIRକୁ ଏକ ବୈଧ ଏବଂ ସାମ୍ବିଧାନିକ ପ୍ରକ୍ରିୟା ଭାବରେ ବର୍ଣ୍ଣନା କରିଛନ୍ତି । କୋର୍ଟ ଆହୁରି କହିଛନ୍ତି, ଏହି ପ୍ରକ୍ରିୟା ଆଇନଗତ ଭାବରେ ସଠିକ୍ ।
କୋର୍ଟ ସ୍ପଷ୍ଟ କରିଛନ୍ତି, ଏହି ପ୍ରକ୍ରିୟା ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାର ସାମ୍ବିଧାନିକ ଦାୟିତ୍ୱକୁ କୌଣସି ପ୍ରକାରେ ବାଧା ପହଞ୍ଚାଉ ନାହିଁ । କୋର୍ଟ କହିଛନ୍ତି ଯେ, ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଭୋଟର ତାଲିକା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସଠିକ୍ ହେବା ଆବଶ୍ୟକ । ନକଲି, ମୃତ କିମ୍ବା ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ହଟାଇବା ନିର୍ବାଚନ କମିଶନଙ୍କ କର୍ତ୍ତବ୍ୟ । ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନଙ୍କ ପାଖରେ ସମ୍ପୂର୍ଣ୍ଣ ଅଧିକାର ରହିଛି ।
ବିହାରର ଭୋଟର ତାଲିକା ସଂଶୋଧନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକାଧିକ ଆବେଦନ ଉପରେ କୋର୍ଟ ଏହି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । କିଛି ନାଗରିକ ସଂଗଠନ ଓ ବିରୋଧୀ ଦଳ କୋର୍ଟରେ ଅଭିଯୋଗ କରିଥିଲେ, ଏହି ଯାଞ୍ଚ ପ୍ରକ୍ରିୟା ଯୋଗୁଁ ବହୁ ସଂଖ୍ୟାରେ ପ୍ରକୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଯାଉଛି । କିନ୍ତୁ ସୁପ୍ରିମକୋର୍ଟ ଭୋଟରଙ୍କ ସୁରକ୍ଷା ପାଇଁ ଆଧାର କାର୍ଡ ଓ ପୁରୁଣା ଭୋଟର ଆଇଡି ଭଳି ସହଜ ପ୍ରମାଣପତ୍ର ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ସଂଶୋଧନ ପ୍ରକ୍ରିୟାକୁ ସବୁଜ ସଙ୍କେତ ଦେଇଛନ୍ତି ।
