ଥିରୁଅନନ୍ତପୁରମ : କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡ଼ିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡ଼ି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ର ବରିଷ୍ଠ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ରେଡ୍ କରିଛି । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ କେରଳର ପ୍ରାୟ ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି, ଯେଉଁଥିରେ ପିନାରାୟୀ ବିଜୟନଙ୍କ ଥିରୁଅନନ୍ତପୁରମ ସ୍ଥିତ ଭଡ଼ା ଘର ମଧ୍ୟ ସାମିଲ ରହିଛି ।
ଏହି ମାମଲାଟି ମୁଖ୍ୟତଃ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପରିବାର ଏବଂ ବେସରକାରୀ ଖଣି କମ୍ପାନୀ CMRL ମଧ୍ୟରେ ହୋଇଥିବା ସନ୍ଦିଗ୍ଧ ଆର୍ଥିକ କାରବାର ଉପରେ ରହିଛି । ଅଭିଯୋଗ ଅନୁଯାୟୀ, CMRL କମ୍ପାନୀ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ସହ ଜଡ଼ିତ Exalogic Solutions କୁ ବେଆଇନ ଭାବେ ପେମେଣ୍ଟ କରାଯାଇଥିଲା । ଏହା ସହିତ ଏଥିରେ ବ୍ୟାପକ ଲାଞ୍ଚ କାରବାର ଓ ମନି ଲଣ୍ଡରିଂ ହୋଇଥିବା ଅଭିଯୋଗ ହୋଇଛି ।
କେରଳ ହାଇକୋର୍ଟ କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ମାମଲାରେ ଇଡ଼ିର ତଦନ୍ତ ବାତିଲ କରିବାକୁ ମନା କରିଥିଲେ । ମାମଲାରେ ED ର ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ CMRL କମ୍ପାନୀର ବରିଷ୍ଠ ପରିଚାଳନା କମିଟି ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କମ୍ପାନୀ ଅଧିକାରୀମାନଙ୍କୁ ସମନ୍ ଜାରି କରିବାରୁ ରୋକିବା ପାଇଁ ଅନ୍ତରୀଣ ସୁରକ୍ଷା ଅବଧିକୁ ଆଉ ୨ ସପ୍ତାହ ବଢ଼ାଇବାକୁ କରାଯାଇଥିବା ଅନୁରୋଧକୁ ମଧ୍ୟ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ପରେ ED ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
୨୦୧୭ ରୁ ୨୦୨୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଝିଅ ବୀଣାଙ୍କ କମ୍ପାନୀ କୌଣସି ସେବା ପ୍ରଦାନ ନକରି ଏକ୍ସାଲୋଜିକ୍ କୋଚିନ୍ ମିନେରାଲ୍ସ ଠାରୁ ୧.୭୨ କୋଟି ଟଙ୍କା ପାଇଥିବା ରିପୋର୍ଟରେ ଦାବି କରାଯିବା ପରେ ଅଗଷ୍ଟ ୨୦୨୩ରେ ଏହି ଅଭିଯୋଗ ପ୍ରଥମେ ସାମ୍ନାକୁ ଆସିଥିଲା । ତେବେ ବିବାଦ ବଢିବାରୁ କେନ୍ଦ୍ର ସରକାର ୨୦୨୪ ଜାନୁଆରୀରେ ଏକ୍ସାଲୋଜିକ୍ ସଲ୍ୟୁସନ, ସିଏମଆରଏଲ ଏବଂ କେରଳ ରାଜ୍ ଉଦ୍ଦ୍ୟୋଗିକ ବିକାଶ ନିଗମ ସହିତ ଜଡିତ ବିତ୍ତୀୟ ଅନିୟମିତାକୁ ଯାଞ୍ଚ କରିବା ପାଇଁ ଏସଏଫଆଇଓକୁ ଆଦେଶ ଦେଇଥିଲେ । ଏସଏଫଆଇଓ ଯାଞ୍ଚ ଏବଂ ଆୟକର ବିଭାଗ ରିପୋର୍ଟ ଆଧରରେ ଇଡି ମାର୍ଚ୍ଚ ୨୦୨୪ରେ ସଂପୂର୍ଣ୍ଣ ବିତ୍ତୀୟ ଘୋଟାଲାରେ ମନି ଲଣ୍ଡରିଂର ନୂଆ ମାମଲା ଦାୟର କରିଥିଲା । ଏହି ମାମଲାର ଯାଞ୍ଚ କରିବା ପାଇଁ ଇଡି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଝିଅ ଘର ଉପରେ ଚଢାଉ କରୁଛି ।
