- ସମ୍ପୂର୍ଣ୍ଣ ପ୍ରକ୍ରିୟାର ସୁଚାରୁ ସମ୍ପାଦନ ନିମନ୍ତେ ବିଏଲ୍ଓ ଏବଂ ଵିଏଲଓ ସୁପରଭାଇଜରମାନଙ୍କୁ ପରାମର୍ଶ.
ବାରିପଦା : ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍)-୨୦୨୬ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପାଦନକରି ସଫଳ କରିବା ନିମନ୍ତେ ଆଜି ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କ ତତ୍ୱାବଧାନରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ୭ଗୋଟି ବ୍ଲକ ସହିତ ସାରସକଣା ବ୍ଲକ ଏବଂ ରାଇରଙ୍ଗପୁର ସହରାଞ୍ଚଳ ଅନ୍ତର୍ଗତ ଵିଏଲଓ ଏବଂ ଵିଏଲଓ ସୁପରଭାଇଜର ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି।
ଏହି କ୍ରମରେ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ରାଇରଙ୍ଗପୁର, ତିରିଂ, ଜାମଦା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଥ୍ ଲେଭେଲ୍ ଅଧିକାରୀ (ବିଏଲ୍ଓ) ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ସାରସକଣା ବିଜାତଳା,ବିଶୋଇ, କୁସୁମୀ ବ୍ଲକରେ ଏବଂ ରାଇରଙ୍ଗପୁର ପୌରାଞ୍ଚଳ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ରାଇରଙ୍ଗପୁର ପୌରାଞ୍ଚଳ ଏବଂ ତିରିଂ ବ୍ଲକରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା।
ଏହି ଏସଆଇଆର ପ୍ରକ୍ରିୟାରେ କ୍ଷେତ୍ର ସ୍ତରୀୟ କର୍ମଚାରୀ ତଥା ଵିଏଲଓ ଏବଂ ଵିଏଲଓ ସୁପରଭାଇଜର ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱବୋଧ ରହୁଥିବାରୁ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ନିର୍ଦ୍ଦେଶାବଳି ଅନୁସାରେ ସଠିକ ସମୟସୀମା ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
ଭୋଟର ତାଲିକାର ଏହି ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟାରେ ବିଶେଷ କରି ମତଦାତା ତାଲିକାକୁ ତ୍ରୁଟିଶୁନ୍ୟ , ସ୍ୱଚ୍ଛ ଏବଂ ଅଧୁନାତନ କରିବା ସହିତ ଯୋଗ୍ୟତା ସୂଚକ ତାରିଖ ଅନୁଯାୟୀ ସମସ୍ତ ଯୋଗ୍ୟ ମତଦାତାଙ୍କ ନାମ ସଠିକ ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପ୍ରଶିକ୍ଷଣରେ ତାଲିମ ଦିଆଯାଇଥିଲା। ପ୍ରଶିକ୍ଷଣରେ ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ଘରକୁ ଘର ଯାଇ ସର୍ବେକ୍ଷଣ ପ୍ରକ୍ରିୟା, ନୂତନ ଯୋଗ୍ୟ ମତଦାତାଙ୍କ ନାମ ସଂଯୁକ୍ତ କରିବା , ମୃତ ଓ ସ୍ଥାନାନ୍ତରିତ ଓ ଅଯୋଗ୍ୟ ମତଦାତାଙ୍କ ନାମକୁ ଚି଼ହ୍ନଟ କରି ଭୋଟର ତାଲିକାରୁ ବାଦ୍ ଦେବା , ମତଦାତାଙ୍କ ତଥ୍ୟ ସଂଶୋଧନ, ଉଦିଷ୍ଟ ଫର୍ମ ପୂରଣ ସହିତ ଅନଲାଇନ୍ ଓ ଅଫଲାଇନ୍ ଆବେଦନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା ।
ବିଭିନ୍ନ ବ୍ଲକରେ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନେ ପ୍ରଶିକ୍ଷକ ଭାବେ ତାଲିମ ପ୍ରଦାନ କରିଥିଲେ ଏବଂ ରାଇରଙ୍ଗପୁର ପୌରାଞ୍ଚଳ ପାଇଁ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଏଲଓ ଏବଂ ଵିଏଲଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା, ତ୍ରୁଟିଶୁନ୍ୟତା ବଜାୟ ରଖିବା ପାଇଁ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଏସ ଆଇ ଆର ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବ ମୁକ୍ତ ରଖି ଅତ୍ୟନ୍ତ ଯତ୍ନଶୀଳର ସହିତ ସଠିକ ଭାବେ ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ଆଜିର ଏହି ପ୍ରଶିକ୍ଷଣ ଶିବିରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୨୦୪ ଜଣ ବିଏଲଓ ଏବଂ ୨୧ ଜଣ ବିଏଲଓ ସୁପରଭାଇଜର ଯୋଗଦେଇ ତାଲିମ ନେଇଥିଲେ। ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀର ୨୬୫ ଜଣ ଵିଏଲଓ ଏବଂ ୨୬ ଜଣ ଵିଏଲଓ ସୁପରଭାଇଜର ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଭୋଟର ପଞ୍ଜିକରଣ ଅଧିକାରୀ, ବ୍ଲକ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
