IMG 20260526 WA0165

ଜାତୀୟ ନାଟ୍ୟ ମହୋତ୍ସବରେ ଅଭିନେତା ତଥା ନିର୍ଦ୍ଦେଶକ ପରେଶ ସାହୁଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ
 ବାରିପଦା : ଭୁବନେଶ୍ୱର ଠାରେ ବିଦ୍ୟାକନକ ସୃଜନାନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ “ଜାତୀୟ ନାଟ୍ୟ ମହୋତ୍ସବ – ୨୦୨୬” ଅବସରରେ ବାରିପଦାର ପ୍ରତିଷ୍ଠିତ ଅଭିନେତା ନିର୍ଦ୍ଦେଶକ ପରେଶ ସାହୁ (ଖୁଦି ଭାଇ) ଙ୍କୁ ” ବିଦ୍ୟାକନକ ସମ୍ମାନ ” ରେ ସମ୍ମାନିତ କରାଯାଇଛି I ମଞ୍ଚ ନାଟକ ପ୍ରତି ତାଙ୍କର ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି I ପ୍ରକାଶଥାଉକି ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଶ୍ରୀ ସାହୁ ଏକାଧାରରେ ଜଣେ  ଚଳଚ୍ଚିତ୍ର, ବେତାର, ଆକାଶବାଣୀ, ଦୂରଦର୍ଶନ ତଥା ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ଭାବେ ବେଶ ପରିଚିତ I ନିଜର ନିଖୁଣ ଅଭିନୟ ଓ ବଳିଷ୍ଠ ନିର୍ଦ୍ଦେଶନା ପାଇଁ ସେ ଓଡିଶାର ବିଭିନ୍ନ ନାଟ୍ୟସଂସ୍ଥା ଦ୍ୱାରା ବହୁବାର ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି I
ସମ୍ବାଳୁଆ, ନିଶାନ୍ତ, କେନସର, ଛଉ, ସ୍ୱୟମ୍ବର, ଫେରିଯାଅ ରାମଚନ୍ଦ୍ର, ନାରଦ ଉଵାଚ, ମୁକ୍ତାଲାଭ, ଅଙ୍ଗାର, ଗାଁ କୁ ଫେରିଚାଲ, ସ୍ମୃତି ବିସ୍ମୃତି ନାଟକରେ ତାଙ୍କର ସଫଳ ଅଭିନୟ ଓ ନିର୍ଦ୍ଦେଶନା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି I ତତସହିତ ଓଡ଼ିଆ ସିନେମା ରଜନୀଗନ୍ଧା, ଗୋପରେ ବଢୁଛି କଳା କହେଁଇ, କଥା ରହିବ କାଳକାଳକୁ ଓ ଜାତୀୟ ଟି ଭି ଚାନେଲର ସିରିଏଲ “ଯେ ପକ୍ଷୀ ଉଡେ ଯେତେ ଦୂର” ରେ ତାଙ୍କର ଅଭିନୟ ଉଲ୍ଲେଖନୀୟ I ନିଜ ଉଦ୍ୟମରେ “ରୂପାନ୍ତର” ନାମରେ ଏକ ନାଟ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ସେ ଦୀର୍ଘ ୨୫ ବର୍ଷ ଧରି ବହୁ କଳାକାର ସୃଷ୍ଟି କରିପାରିଛନ୍ତି I ଖବର ପାଇ ବହୁ ନାଟ୍ୟପ୍ରେମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I