- ୨୫ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ
ବାରିପଦା : ରାଜ୍ୟ ସରକାରଙ୍କ ସହରାଞ୍ଚଳ ଭିତ୍ତିଭୂମି ବିକାଶ ଏବଂ ଜନସାଧାରଣଙ୍କୁ ଉନ୍ନତ ନାଗରିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ବାରିପଦା ପୌରାଞ୍ଚଳରେ ୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପ୍ରକଳ୍ପଗୁଡ଼ିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ସହରାଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥାର ସୁଦୃଢ଼ିକରଣ, ଉନ୍ନତି ଏବଂ ଡ୍ରେନେଜ୍ ବ୍ୟବସ୍ଥାର ବିକାଶ ହେବା ସହିତ ସାଧାରଣ ଲୋକଙ୍କ ଅସୁବିଧାକୁ ଦୂର କରିବାରେ ସହାୟକ ହୋଇ ପାରିବ ବୋଲି କୁହାଯାଉଛି । ବିଶେଷ କରି ବର୍ଷା ଦିନରେ ସହରାଞ୍ଚଳରେ ଜଳ ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବ୍ୟାପକ ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ କରାଯାଉଛି ।
ଏହି ଅବସରରେ ରଘୁନାଥପୁର ଠାରେ ଗୋଶାଳା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଥିବାବେଳେ ଝିଞ୍ଜିରି ବନ୍ଧ ସନ୍ନିକଟ ଅଞ୍ଚଳ, ଦୁର୍ଗା ହୋଟେଲ ସନ୍ନିକଟ ଅଞ୍ଚଳ, ଉଦଳା ରୋଡ୍ ଓ ବଗିଚାସାହି ମଧ୍ୟବର୍ତ୍ତୀ ଅଞ୍ଚଳ, ବାରୁଣୀ ଘାଟ ସନ୍ନିକଟ ଅଞ୍ଚଳ ଏବଂ ଷ୍ଟେସନ ରୋଡ୍ ସନ୍ନିକଟ ଅଞ୍ଚଳରେ ସହରାଞ୍ଚଳ ଜଳ ନିଷ୍କାସନ ପାଇଁ ନାଳ ସମୂହ ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ସେହିପରି ଆୟୁର୍ବେଦିକ କଲେଜକୁ ସଂଯୋଗ କରୁଥିବା ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।
ମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ ଯେ, ରାଜ୍ୟ ସରକାର ସହରାଞ୍ଚଳର ସମନ୍ୱିତ ବିକାଶ, ସ୍ୱଚ୍ଛ ପରିବେଶ ଏବଂ ଉନ୍ନତ ନାଗରିକ ସୁବିଧା ପ୍ରଦାନ ଦିଗରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ସମାପ୍ତ ହେଲେ ସହରବାସୀଙ୍କ ପାଇଁ ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକାର ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଉପ-ନଗରପାଳ ଶ୍ରୀମତୀ ସୀମା ଦାସ, ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ସମେତ ସଂପୃକ୍ତ ୱାର୍ଡର ପାରିଷଦଗଣ, ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
