ଜଳେଶ୍ୱର : ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚକ୍ରଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଜୟ ବେହେରାଙ୍କ ପରିବାର ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ବିଛଣାରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଫଳରେ ବିଜୟ ବେହେରା ଓ ତାଙ୍କ ସ୍ତ୍ରୀ ଆରତୀ ଗୁରୁତର ହୋଇଛନ୍ତି । ଉଭୟଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଛି ।
ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଯିବାରୁ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ । ଗୁରୁତର ବିଜୟ ଏବଂ ଆରତୀଙ୍କୁ ପଡ଼ୋଶୀ ଉଦ୍ଧାର କରି ପ୍ରଥମେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ମାରଣାସ୍ତ୍ର, ପେଟ୍ରୋଲ ଭର୍ତ୍ତି ବୋତଲ ଓ ମୋବାଇଲ ଜବତ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ, ବିଜୟଙ୍କ ପୁଅ ସେହି ଗାଁର ଜଣେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି । ଝିଅଘର ଲୋକ ରାଗରେ ଏଭଳି କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି।
