ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍)-୨୦୨୬ କାର୍ଯ୍ୟକ୍ରମକୁ ସ୍ୱଚ୍ଛ, ନିର୍ଭୁଲ ଏବଂ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟାନ୍ବୟନ କରିବା ନେଇ ମଙ୍ଗଳବାର ଜିଲ୍ଲାପାଳ ହେମକାନ୍ତ ସୟ୍ଙ୍କ ଅଧ୍ୟକ୍ଷତାରେ ଏକ ବିସ୍ତୃତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ ।
ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ, ୦୧ ଜୁଲାଇ ୨୦୨୬କୁ ଏସ୍.ଆଇ.ଆର୍ ପାଇଁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ୨୦ ମଇରୁ ୨୯ ମଇ ପର୍ଯ୍ୟନ୍ତ ପ୍ରିଣ୍ଟିଂ, ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ୩୦ ମଇରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରଙ୍କ ପରିଦର୍ଶନ କରିବା ସହ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ ।
ଏହାସହ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ପୁନର୍ବିନ୍ୟାସ କାର୍ଯ୍ୟ ସମ୍ପନ୍ନ ହେବାକୁ ଥିବାବେଳେ, ୦୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ୦୫ ଜୁଲାଇରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯିବ ଏବଂ ୦୫ ଜୁଲାଇରୁ ୦୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସେଗୁଡିକର ସମାଧାନ ପ୍ରକ୍ରିୟା ଚାଲିବ । ଶେଷରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।
ବୈଠକରେ ଭୋଟର ତାଲିକାର ସଠିକତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ମୋଟ ୧୪୨୧ ଜଣ ବିଏଲଏ ମନୋନୀତ ହୋଇଥିବା ସୂଚନା ମଧ୍ୟ ଦିଆଯାଇଥିଲା ।
ସେହିପରି ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଅଧିକାଂଶ ଭୋଟରଙ୍କ ମ୍ୟାପିଙ୍ଗ ଓ ବର୍ଗୀକରଣ କାର୍ଯ୍ୟ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ସମ୍ପାଦିତ ହୋଇସାରିଥିବା ବେଳେ, ଏହି ସମଗ୍ର ପ୍ରକ୍ରିୟାକୁ ସମାବେଶୀ ଓ ସ୍ୱଚ୍ଛ କରିବା ପାଇଁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ ।
ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପୂର୍ବମୁଦ୍ରିତ ପରିଗଣନା ଫର୍ମ ପ୍ରଦାନ କରାଯିବ । ପୂରଣ ହୋଇଥିବା ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଅନ୍ୟ ନକଲଟି ଦସ୍ତଖତ ସହ ରସିଦ ଭାବେ ଭୋଟରଙ୍କୁ ଫେରସ୍ତ କରାଯିବ । ଭୋଟରମାନେ ଚାହିଁଲେ ନିର୍ବାଚନ ଆୟୋଗଙ୍କ ସରକାରୀ ପୋର୍ଟାଲରୁ ଫର୍ମ ଡାଉନଲୋଡ୍ କରି ଅନଲାଇନ୍ରେ ମଧ୍ୟ ଅପଲୋଡ୍ କରିପାରିବେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବାରିପଦା ଉପ-ଜିଲ୍ଲାପାଳ କସ୍ତୁରୀ ପଣ୍ଡା, ବାରିପଦା ଅତିରିକ୍ତ ଉପଜିଲ୍ଲାପାଳ ରାଖାଲ ଚନ୍ଦ୍ର ପରିଡ଼ା, ଡେପୁଟି କଲେକ୍ଟର କ୍ରିସେନସିଆ ତିର୍କୀ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
