ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍ଲାଇନ୍ ଔଷଧ ବିକ୍ରୟକୁ କଡ଼ା ବିରୋଧ କରି ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍’ (ୟୁସିଡିଏ) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଆସନ୍ତାକାଲି ସକାଳୁ ରାଜ୍ୟର ୩୫ ହଜାରରୁ ଊର୍ଦ୍ଧ୍ୱ ଔଷଧ ଦୋକାନରେ ତାଲା ଝୁଲୁଥିବାର ଦେଖିବାକୁ ମିଳିବ।
ଏହି ବନ୍ଦ କେବଳ ଓଡ଼ିଶାରେ ସୀମିତ ନୁହେଁ, ବରଂ ଏହା ଏକ ସର୍ବଭାରତୀୟ ଆନ୍ଦୋଳନ। କେନ୍ଦ୍ର ସରକାରଙ୍କ ଖାମଖିଆଲି ନୀତି ପ୍ରତିବାଦରେ ସାରା ଦେଶରେ ଥିବା ପ୍ରାୟ ୧୨ ଲକ୍ଷରୁ ଅଧିକ ମେଡ଼ିସିନ ଷ୍ଟୋର ଆସନ୍ତାକାଲି ବ୍ୟବସାୟ ବନ୍ଦ ରଖିବେ।
