IMG 20260518 WA0159

ଭବ୍ୟ ସମାରୋହରେ ପାଳିତ ହେଲା “ମାତୃ ଦିବସ”

ରାଜ୍ୟ
ବାରିପଦା : ମାଆଙ୍କ ଅସୀମ ସ୍ନେହ, ନିରବ ତ୍ୟାଗ ଓ ଅମୂଲ୍ୟ ସଂସ୍କାରକୁ ସମ୍ମାନ ଜଣାଇ ପ୍ରତୀକ ସାମାଜିକ ସଂଗଠନ ଏବଂ ଯମୁନା ଭେରାଇଟି ଷ୍ଟୋରର ମିଳିତ ଆୟୋଜନରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ “ମାତୃ ଦିବସ – ୨୦୨୬” ଭବ୍ୟ ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାଆଙ୍କ ପ୍ରତି ଶ୍ରଦ୍ଧା, ଭଲପାଇବା ଓ ସମ୍ମାନର ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା I ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ, ମୁଖ୍ୟବକ୍ତା ଭାବେ କରଞ୍ଜିଆ ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡ଼ା ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକା ସବିତା ମାଝୀ, ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ୍ ଓ ଆଧ୍ୟାତ୍ମିକ ଦିଗଦ୍ରଷ୍ଟା ପୂର୍ଣ୍ଣଚନ୍ଦ୍ର ବୁଗୁଡାଇ, ବାରିପଦା ଆର୍.ଏମ୍.ସି ଭାଇସ୍ ଚେୟାରମ୍ୟାନ୍  ମଳୟ ଜେନା, ୨୭ ନମ୍ବର ୱାର୍ଡ କାଉନସିଲର ଶିବଶଙ୍କର ପାତ୍ର, ସମାଜସେବୀ ଅନାଦି ପଣ୍ଡିତ, ଆଦର୍ଶ ଶିକ୍ଷକ ସୋମନାଥ ସିଂହ, ଯମୁନା ଭେରାଇଟି ଷ୍ଟୋରର ଏମ୍.ଡି ସ୍ନେହାଶିଷ ପାଲ୍, ସଂଗଠନର ସଭାପତି ପ୍ରତିମା ବାରିକ ଏବଂ ସମ୍ପାଦକ ପ୍ରବୀର କୁମାର ବାରିକ ପ୍ରମୁଖ ଯୋଗଦେଇ ସୁସ୍ଥ ସମାଜରେ ସ୍ନେହ, ମମତା, ତ୍ୟାଗର ପ୍ରତୀକ ମା” ର ଭୂମିକା ଉପରେ ଆଲୋକପାତ କରିଥିଲେ I
ଅନୁଷ୍ଠାନର ସଭାପତି ପ୍ରତିମା ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋପାମୁଦ୍ରା ଓ ଚିନ୍ମୟୀଙ୍କ ଦ୍ୱାରା ମାତୃପୂଜନ ପର୍ବ ଅନୁଷ୍ଠିତ ହୋଇଥିଲା I  ଏକ ଭାବବିହ୍ଵଳ ପରିବେଶରେ ମାଆମାନଙ୍କୁ ଉପଢୌକନ, ସମ୍ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ଶାନ୍ତିଲତା ବୁଗୁଡାଇ, ରୂପବତୀ ହାଁସଦା, ସୁମତୀ ସିଂହ,ସବିତା ଦାଶ, ଲକ୍ଷ୍ମୀପ୍ରିୟା ଦାସ ପଟ୍ଟନାୟକ, ସୂଜାତା ଚକ୍ର, ସାବିତ୍ରୀ ମହାନ୍ତ, ଅନୁସୟା ପ୍ରହରାଜ, ବବିତା ମଲ୍ଲିକ, ଲିଲା ପାଲ୍ ବାବୁ ଓ ସରସ୍ୱତୀ ପୋଥାଳଙ୍କୁ ସମ୍ମାନିତ କରାଯାଇଥିଲା I ଏହି ମାଆମାନେ ଜୀବନରେ ଅନେକ ଘାତ ପ୍ରତିଘାତ ଓ ସଂଘାତ ମଧ୍ୟ ଦେଇ ଗତିକରି ଆମ ସମାଜକୁ ଦକ୍ଷ ଦିୟାଦ ଦେଇଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ I ବାରିପଦା ପାଇଁ ଗୌରବ ଆଣିଥିବା ଦଶମ ଓଡ଼ିଶା ଟପ୍ପର ପାର୍ଥ ସାରଥୀ ମହାନ୍ତଙ୍କ ମାଆ ସାବିତ୍ରୀ ମହାନ୍ତ ଓ ଦ୍ଵାଦଶ ସିବିଏସଇ ବାଣିଜ୍ୟରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିବା ପ୍ରିୟା ପାଲ୍ ବାବୁଙ୍କ ମାଆ ଲିଲା ପାଲ୍ ବାବୁଙ୍କୁ ମଧ୍ୟ  ସମ୍ମାନିତ କରିଯାଇଥିଲା I ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସମାଜସେବୀ, ଶିକ୍ଷାବିତ୍, ସାମ୍ବାଦିକ ଓ ସଫଳ ମାଆମାନଙ୍କ ଉପସ୍ଥିତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା I
ଡିଜାଇନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ବି.ଏସ୍.ସି ନର୍ସିଂ ବିଭାଗର ଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସୁରଜ କୁମାର ପୃଷ୍ଟି ଓ ଶୁଶ୍ରୀ ମଧୁସ୍ମିତା ବାରିକଙ୍କ ନୃତ୍ୟ ନିର୍ଦ୍ଦେଶନାରେ “ଇନ୍ସପାୟାର ଡ୍ୟାନ୍ସ ଗ୍ରୁପ୍”ର କୁନିକୁନି ପିଲାମାନେ ମାଆଙ୍କ ଉଦ୍ଦେଶ୍ୟରେ ସୁନ୍ଦର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା I ମାଆ ଜାନକୀ ପାଲଙ୍କ ଜନ୍ମଦିନ ଅବସରରେ ତାଙ୍କର ୬ ବର୍ଷର ନାତି ଦିବ୍ୟାଂଶ ପାଲଙ୍କ ନୃତ୍ୟ ପରିବେଷଣ ସମସ୍ତଙ୍କୁ ଆନନ୍ଦିତ କରିଥିଲା I  ମୁଖ୍ୟବକ୍ତା ଡଃ ଦୟାସିନ୍ଧୁ ପରିଡ଼ାଙ୍କ ଭାବପୂର୍ଣ୍ଣ ଅଭିଭାଷଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା I ଖରାଦିନକୁ ଦୃଷ୍ଟିରେ ରଖି ଉପସ୍ଥିତ ସମସ୍ତଙ୍କୁ ଛତା ବଣ୍ଟନ କରାଯାଇଥିଲା I ଶେଷରେ ସୋମନାଥ ସିଂହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I