ବାରିପଦା : ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ମୟୂରଭଞ୍ଜ ପକ୍ଷରୁ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡି.) ଡା. ବିଜୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ ।
ଏହି ଅବସରରେ ଡା. ଦାସ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଜ୍ୱର ସହିତ ହାତ, ଗଣ୍ଠି ଓ ଆଖି ବିନ୍ଧିବା, ଶରୀରରେ ଲାଲ ଦାଗ ଦେଖାଯିବା ଇତ୍ୟାଦି ଡେଙ୍ଗୁର ପ୍ରମୁଖ ଲକ୍ଷଣ । ଏହାର ନିୟନ୍ତ୍ରଣ ପାଇଁ ସଠିକ ସମୟରେ ରକ୍ତ ପରୀକ୍ଷା କରାଇବା, ନିୟମିତ ମଶାରୀ ବ୍ୟବହାର କରିବା, ଘର ଓ ଘର ଚାରିପାଖ ସଫା-ସୁତୁରା ରଖିବା, ପୂର୍ଣ୍ଣ ଶରୀର ଆବୃତ ହେବା ପରି ପୋଷାକ ପରିଧାନ କରିବା ଏବଂ ଘରେ ଘରେ ଜ୍ୱର ରୋଗୀଙ୍କ ଚିହ୍ନଟ କରି ସେମାନଙ୍କର ଡେଙ୍ଗୁ ପରୀକ୍ଷା କରାଇବା ଆବଶ୍ୟକ । ସେହିପରି ପଇଡ଼ ଖୋଳପା, ପୁରୁଣା ଟାୟାର ଓ ଅନ୍ୟାନ୍ୟ ପାତ୍ରରେ ପାଣି ଜମି ନ ରହିବା ପାଇଁ ସଚେତନ ରହିବାକୁ ସେ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁବାଷ ନାୟକ କହିଥିଲେ ଯେ, ଡେଙ୍ଗୁ ରୋଗ ମାଈ ଏଡିସ ମଶା ଦ୍ୱାରା ସଂକ୍ରମିତ ହୁଏ । ତେଣୁ ଚା କପ, ପାଣି ଟାଙ୍କି, ଏୟାର କୁଲର, ଫୁଲ ଡାନି ଓ ଅନ୍ୟାନ୍ୟ ପାଣି ଜମିପାରୁଥିବା ସାମଗ୍ରୀକୁ ଅନ୍ତତଃ ୩ ରୁ ୪ ଦିନ ମଧ୍ୟରେ ଥରେ ସଫା କରିବା ଆବଶ୍ୟକ । ଜ୍ୱର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଏ.ଏନ୍.ଏମ୍.ଟି.ସି.ର ପ୍ରିନ୍ସିପାଲ ଭାରତୀ ଅନୁକ୍ଷା ଡେଙ୍ଗୁ ରୋଗର ଭୟାବହତା ଏବଂ ସମୂହ ସଚେତନତାର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ ଆଶା କର୍ମୀମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ, ଘରେ ଘରେ ଯାଇ ସଚେତନତା ସୃଷ୍ଟି କରିବା ସହ ଜ୍ୱର ହେଲାମାତ୍ରେ ସି.ବି.ସି. ପରୀକ୍ଷା ସହ ଆବଶ୍ୟକ ରକ୍ତ ପରୀକ୍ଷା କରାଇବା ଏବଂ ମଶାର ଉତ୍ପତ୍ତିସ୍ଥଳକୁ ନଷ୍ଟ କରିବା ଉପରେ ଗୁରୁତ୍ୱ ଦେବା ଦରକାର ।
କାର୍ଯ୍ୟକ୍ରମରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ଧନୁରାମ ମୁର୍ମୁ, ସହକାରୀ ଜିଲ୍ଲା ଯୋଗାଯୋଗ ଅଧିକାରୀ ଶ୍ରୀ ଗଣେଶ୍ୱର ମହାନ୍ତି, ଏଫ୍.ଏଲ୍.ଏ. ଶ୍ରୀ ଗୋପବନ୍ଧୁ ଗିରି, ଫାଇଲେରିଆ ପରିଦର୍ଶକ ଶ୍ରୀ ଦୁର୍ଗା ଦାସ ଓ ଶ୍ରୀ ଅମୂଲ୍ୟ ଦାସ, ବାରିପଦା ସହରାଞ୍ଚଳର ସମସ୍ତ ଆଶା କର୍ମୀ, ସୁପେରିଅର୍ କ୍ଷେତ୍ର ଅଧିକାରୀ ଶ୍ରୀ ବଳରାମ ବେହେରା ଏବଂ ଏ.ଏନ୍.ଏମ୍. ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ଥିଲେ ।
