ବାରିପଦା : ଆଜି କୁସୁମୀ ବ୍ଲକ ଅନ୍ତର୍ଗତ ଯୋଡ଼ାପୋଖରୀ ଗ୍ରାମରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜନ ଶୁଣାଣି ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, କୁସୁମୀ ଵି ଡି ଓ ଶ୍ରୀ ଶିବ ଶଙ୍କର ମୁର୍ମୁ, ତହସିଲଦାର ଶ୍ରୀମତୀ ଅଭିସ୍ମିତା ତିୱାରୀ , ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଉପ ଜନଗଣନା ଅଧିକାରିଣୀ ମାନସୀ ତରାଇ ଓ ଭୁବନେଶ୍ୱର ଜନଗଣନା ନିର୍ଦେଶାଳୟର ଅଧିକାରୀ ଯୋଗଦେଇଥିଲେ.
ଏହି ଶିବିରରେ ମୁଖ୍ୟତଃ ଜନଗଣନା କାର୍ଯ୍ୟରେ ଗ୍ରାମବାସୀଙ୍କ ଅସହଯୋଗର କାରଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉକି କୁସୁମୀ ବ୍ଲକ ଅଧିନସ୍ଥ ଆହାରବନ୍ଧ ମୌଜାର ଯୋଡାପୋଖରୀ ଗ୍ରାମବାସୀମାନେ ଅନେକ ସମୟରେ ତହସିଲରୁ ବିଭିନ୍ନ ପ୍ରମାଣ ପତ୍ର ପାଇବା, ଶିକ୍ଷାନୁଷ୍ଠାନରେ ନିଜ ନିଜ ସନ୍ତାନସନ୍ତତି ମାନଙ୍କ ନାମଲେଖା ପାଇଁ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଅସୁବିଧା ସମ୍ମୁଖୀନ ହେଉଥିବାରୁ ତା’ଙ୍କ ଗ୍ରାମକୁ ମୂଳ ରାଜସ୍ବ ଗ୍ରାମ ଆହାରବନ୍ଧ ଗ୍ରାମରୁ ଅଲଗା କରି ଯୋଡ଼ାପୋଖରୀକୁ ଏକ ନୂତନ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବା ନେଇ ଦୀର୍ଘ ଦିନର ଦାବିକୁ ସରକାରଙ୍କ ଦ୍ୱାରା ପୂରଣ କରାଯାଇ ନଥିବା ହେତୁ ଚଳିତ ବର୍ଷ ସରକାରଙ୍କ ତରଫରୁ କରାଯାଉଥିବା ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକୁ ପ୍ରତିବାଦ କରି ଉକ୍ତ ଗ୍ରାମର ଗ୍ରାମବାସୀମାନେ ଜନଗଣନା କାର୍ଯ୍ୟରେ ଅସହଯୋଗ କରିବା ପରିପ୍ରେକ୍ଷୀରେ ଏହାର ସମାଧାନ ନିମନ୍ତେ ଗ୍ରାମବାସୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆପୋଷ ଆଲୋଚନା ପରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସ୍ପଷ୍ଠୀକରଣ ଦେଇ କହିଥିଲେଯେ, ମୂଳ ରାଜସ୍ୱ ଗ୍ରାମରୁ ଅଲଗା କରି ଏକ ନୂତନ ରାଜସ୍ବ ଗ୍ରାମ କରିବା ପାଇଁ ଅତୀତରେ ରାଜସ୍ୱ ବିଭାଗର କିଛି ଜଟିଳ ନିୟମ ନୀତି ତଥା ମାନଦଣ୍ଡ ପାଇଁ ଏହା ସମ୍ଭବ ହୋଇପାରିନଥିଲା।
ମାତ୍ର ୨୦୨୧ ମସିହାରେ ରାଜସ୍ବ ବିଭାଗର ନିର୍ଦେଶନାମାରେ ଏହି ଜଟିଳତାକୁ ଦୂରୀକରଣ କରାଯାଇ ନୂତନ ରାଜସ୍ବ ଗ୍ରାମ କରିବା ପାଇଁ ପୂର୍ବରୁ ଥିବା ଜଟିଳତାକୁ ଦୂରୀକରଣ କରାଯାଇ ଏହି ନିୟମର ସରଳିକରଣ ତଥା ମାନଦଣ୍ଡର ପରିବର୍ତ୍ତନ କରାଯାଇଛି। ଉକ୍ତ ସଂଶୋଧିତ ନିୟମ ଅନୁସାରେ ବର୍ତ୍ତମାନ ଯୋଡ଼ାପୋଖରୀ ଗ୍ରାମ ନୂତନ ମାନଦଣ୍ଡକୁ ପୂର୍ଣ୍ଣ କରିଥିବାରୁ ସେହି ଆଧାରରେ ତା ୨୮-୦୪-୨୦୨୬ ରିଖ ଯୋଡ଼ାପୋଖରୀ ଗ୍ରାମକୁ ଏକ ନୂତନ ରାଜସ୍ୱ ଜିଲ୍ଲା କରିବା ନେଇ ପ୍ରସ୍ତାବକୁ ଅନୁମୋଦନ ନିମନ୍ତେ ଜିଲ୍ଲାପାଳଙ୍କ ସୁପାରିଶ ସହ ଆବଶ୍ୟକୀୟ ଦସ୍ତାବିଜ ବୋର୍ଡ଼ ଅଫ ରେଭିନ୍ୟୁ, ଓଡିଶା, କଟକଙ୍କ ନିକଟରେ ଦାଖଲ କରାଯାଇଛି। ତେଣୁ ଯୋଡ଼ାପୋଖରୀକୁ ନୂତନ ରାଜସ୍ବ ଗ୍ରାମ କରାଇବା ପାଇଁ ପ୍ରଶାସନ ତରଫରୁ ସମୟଚିତ ପଦକ୍ଷେପ ନିଆଯାଇଛି ଏବଂ ଏ ସମ୍ବନ୍ଧରେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକ୍ରିୟା ଜାରି ରହିଛି।
ପୁନଶ୍ଚ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଗ୍ରାମବାସୀଙ୍କ ମନ ଭିତରେ ଥିବା ସମସ୍ତ ସଂଶୟ ଦୂର କରି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଯେ ୨୦୨୬ ମସିହା ସୁଦ୍ଧା ଏହା ରାଜସ୍ୱ ଗ୍ରାମ ଭାବେ ଘୋଷଣା ହେବ। ପରିଶେଷରେ ଜନଗଣନା କାର୍ଯ୍ୟରେ ସବୁ ପ୍ରକାର ସହଯୋଗ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ନିବେଦନ କରିଥିଲେ। ଉକ୍ତ ଶିବିରରେ ପି ଇ ଓ, ସି ଡି ପି ଓ, ଆର ଆଇ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆହାରବନ୍ଧ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
