IMG 20260503 WA0165

ପଞ୍ଚମ ସଂସ୍କରଣ ହକି ପ୍ରତିଯୋଗିତା ଜୁନିଅର ବାଳକ ବିଭାଗ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲା ମୟୂରଭଞ୍ଜ ଦଳ

ରାଜ୍ୟ
ବାରିପଦା :  ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଆସୋସିଏସନ ଓଡ଼ିଶା ଦ୍ୱାରା ଆୟୋଜିତ ପଞ୍ଚମ ସଂସ୍କରଣ ହକି ପ୍ରତିଯୋଗିତାର ଜୁନିଅର ବାଳକ ବିଭାଗରେ ମୟୁରଭଞ୍ଜ ଜିଲ୍ଲା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି । ମୋରଡା ବ୍ଲକ ଅଧୀନସ୍ଥ ଚଢେଇଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ହକି ଗ୍ରାସରୁଟ୍ସ ସେଣ୍ଟର ମୟୂରଭଞ୍ଜର ପ୍ରତିନିଧିତ୍ୱ କରି ଏହି ସଫଳତା ହାସଲ କରିଛି ।
         ଉକ୍ତ ପ୍ରତିଯୋଗିତାର ଏକ ରୋମାଞ୍ଚକର ମ୍ୟାଚରେ ମୟୁରଭଞ୍ଜ ଦଳ ଝାରସୁଗୁଡା ଜିଲ୍ଲାକୁ ୩-୦ ଗୋଲରେ ପରାଜିତ କରି ଦ୍ୱିତୀୟ ରାଉଣ୍ଡକୁ ଯୋଗ୍ୟତା ହାସଲ କରିଛି । ମ୍ୟାଚ ଆରମ୍ଭରୁ ମୟୁରଭଞ୍ଜ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରଥମାର୍ଦ୍ଧରୁ ହିଁ ନିଜର ଦବଦବା ଜାହିର୍ କରିଥିଲା । ଦଳର ଖେଳାଳିମାନେ ସୁନିୟୋଜିତଭାବେ ପାସିଂ, ଦୃଢ଼ ରକ୍ଷା ବ୍ୟବସ୍ଥା ଓ ଶୀଘ୍ର ତଥା ତତକ୍ଷଣାତ୍ ଆକ୍ରମଣ ମାଧ୍ୟମରେ ପ୍ରତିପକ୍ଷ ଦଳକୁ ଚାପରେ ରଖିଥିଲେ ।
                 ଦଳ ପକ୍ଷରୁ ରାଜେନ ଟୁଡୁ ଦୁଇଟି ଚମତ୍କାର ଗୋଲ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସେହିପରି ଘାସିରାମ ହେମ୍ବ୍ରମ ମଧ୍ୟ ଗୋଟିଏ ସୁନ୍ଦର ଗୋଲ କରି ଦଳର ସ୍କୋରକୁ ଆଗକୁ ବଢ଼ାଇ ବିଜୟ ସୁନିଶ୍ଚିତ କରିଥିଲେ । ଦଳର ଗୋଲରକ୍ଷକ ଓ ରକ୍ଷା ପଙ୍କ୍ତିର ଖେଳାଳିମାନେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରତିପକ୍ଷଙ୍କୁ କୌଣସି ଗୋଲ କରିବାର ସୁଯୋଗ ଦେଇନଥିବାରୁ ଦଳ ଚମତ୍କାର ବିଜୟ ପ୍ରାପ୍ତ କରିଛି ।
                ଏଠାରେ ଉଲ୍ଲେଖଥାଉକି, ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ଶୁଭାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ଏହି ହକି ଗ୍ରାସରୁଟ୍ସ ସେଣ୍ଟରଟି ସଫଳତାର ସହିତ ପରିଚାଳିତ ହେଉଛି। ଏହି ଅବସରରେ ଡ଼ଃ ନାୟକ କହିଛନ୍ତି ଯେ, ଏହି ପରି ସଫଳତା ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଥିବା କ୍ରୀଡା ପ୍ରତିଭାମାନଙ୍କୁ ଆଗକୁ ଆଣିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରୁଛି। ସେ ଏହି ସଫଳତା ପାଇଁ ସମସ୍ତ ଖେଳାଳି, କୋଚ ଡେଭିଡ ସୋରେଙ୍ଗ ଓ ସମସ୍ତ ସହଯୋଗୀ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
                  ତତସହିତ, ସେ ଦଳକୁ ଆଗାମୀ ମ୍ୟାଚଗୁଡିକ ପାଇଁ ଅଧିକ ସଚେତନ ଓ ସୁଚିନ୍ତିତ ରଣନୀତି ଗଠନ କରି ଖେଳିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଏହି ଦଳ ଆଗାମୀ ରାଉଣ୍ଡଗୁଡିକରେ ମଧ୍ୟ ଏହିପରି ଦୃଢ଼ ପ୍ରଦର୍ଶନ ଜାରି ରଖି ଜିଲ୍ଲା ପାଇଁ ଆହୁରି ଗୌରବ ଆଣିବ ଡଃ ନାୟକ ଆଶାବ୍ୟକ୍ତ କରିଛନ୍ତି ।