Ganga expressway

୫୯୪ କିମି ଲମ୍ବା ଗଙ୍ଗା ଏକ୍ସପ୍ରେସ ୱେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦେଶ - ବିଦେଶ

ବାରାଣସୀ : ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ପ୍ରାୟ ୧ ହଜାର ୫୦ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ପ୍ରାୟ ୫ ହଜାର ୩୦୦ କୋଟି ମୂଲ୍ୟର ୧୧୨ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।

ଏହି ଛଅ ଲେନ ବିଶିଷ୍ଟ ରାସ୍ତା ୮ ଲେନକୁ ସମ୍ପ୍ରସାରିତ ହୋଇପାରୁଥିବା ବେଳେ ମିରଟରୁ ପ୍ରୟାଗରାଜ ମଧ୍ୟରେ ୧୨ ଟି ଜିଲ୍ଲା ସହିତ ସଂଯୋଗ କରୁଛି । ଏହା କେବଳ ଏକ ରାସ୍ତା ଭାବରେ ନୁହେଁ, ବରଂ ଏକ ଶିଳ୍ପ, ଲଜିଷ୍ଟିକ୍ସ ଏବଂ ବିକାଶ କରିଡର ଭାବରେ କାର୍ଯ୍ୟ କରିବ । ଗଙ୍ଗା ଏକ୍ସପ୍ରେସ ୱେ ମେରଠ, ହାପୁଡ, ବୁଲନ୍ଦସହର, ଅମରୋହା, ସମ୍ଭଲ, ବଦାୟୁ, ଶାହଜାହାଁପୁର, ହରଦୋଇ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ଭଳି ୧୨ଟା ଜିଲ୍ଲା ସହିତ ଯୋଡିବ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ବଡ଼ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପରିବହନ ଓ ଭିତ୍ତିଭୂମି କ୍ଷେତ୍ରରେ ବାରାଣସୀ-ଆଜାମଗଡ଼ ରାସ୍ତାର ପ୍ରଶସ୍ତିକରଣ ସହ କଜ୍ଜାକପୁରା ଏବଂ କାଦିପୁରଠାରେ ରେଳ ଓଭରବ୍ରିଜର ଉଦଘାଟନ ହୋଇଛି । ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ-ତଥା-ସଡ଼କ ସେତୁ ପାଇଁ ଶିଳାନ୍ୟାସ ହୋଇଛି । ବାରାଣସୀ-ପୁଣେ ଏବଂ ଅଯୋଧ୍ୟା-ମୁମ୍ବାଇ ଦୁଇଟି ନୂଆ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି ।