ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ ‘କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ଆଣ୍ଡ୍ କ୍ରିପ୍ଟୋଗ୍ରାଫି’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ତିନି ଦିନ ଧରି ହେବାକୁ ଥିବା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ହେଉଛି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା; ବର୍ତ୍ତମାନକୁ କ୍ୱାଣ୍ଟମ୍ କମ୍ପ୍ୟୁଟର ବିଭିନ୍ନ ଲ୍ୟାବ୍ ଓ ଖ୍ୟାତିସମ୍ପନ୍ନ କମ୍ପାନୀ ଗୁଡ଼ିକରେ ଉପଲବ୍ଧ କିନ୍ତୁ ଦିନ ଆସିବ ଆମେ ସମସ୍ତେ କ୍ୱାଣ୍ଟମ୍ କମ୍ପ୍ୟୁଟର ବ୍ୟବହାର କରିପାରିବା । କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ଏକ ଆନ୍ତଃବିଷୟକ ଗବେଷଣା ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ରେ ଏଭଳି ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥିପାଇଁ ଜାତୀୟ କ୍ୱାଣ୍ଟମ୍ ମିଶନ କାର୍ଯ୍ୟକାରୀ କରୁଅଛି ।
ଏହି କାର୍ଯ୍ୟକ୍ରମ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ରେ ଆନ୍ତଃବିଷୟିକ ଗବେଷଣାକୁ ନୂଆ ଦିଗ ଦେବ ଏବଂ ଆମର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜୟନଗରମ୍ ସ୍ଥିତ ଏସ୍ଆଇଟିଏଏମ୍ର ପ୍ରଫେସର ଭି.ଜି. ପ୍ରସୁନା କହିଥିଲେ ଯେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ଏବେ ଆଉ କେବଳ ଲ୍ୟାବର ଗବେଷଣାରେ ସୀମିତ ନ ରହି ଏକ ବାସ୍ତବତାର ରୂପ ନେଲାଣି ଏବଂ କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି ପାରମ୍ପରିକ ଏନକ୍ରିପ୍ସନ୍ ପଦ୍ଧତିକୁ ପୁରୁଣା କରିଦେବା ସହ ଆମର ବୈଷୟିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିବ । ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ୟୁନିଭର୍ସିଟି ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ ଓ କ୍ରିପ୍ଟୋଗ୍ରାଫି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗ୍ର ବିକାଶ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଥିଲେ ।
ବିଭାଗୀୟ ମୁଖ୍ୟ ତଥା ଆବାହକ ପ୍ରଫେସର ଏମ୍. ହିମବିନ୍ଦୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ସଂଯୋଜକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅନ୍ୟତମ ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପାଠ୍ୟକ୍ରମ ସାମଗ୍ରୀକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବକ୍ତା ହିସାବରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉତ୍ପଳ ରାୟ, ସନ୍ଦୀପ ଦତ୍ତା, ରୌନକ ବିଶ୍ୱାସ, ବିଜୟନଗରମ୍ ସ୍ଥିତ ଏସ୍ଆଇଟିଏଏମ୍ର ସହକାରୀ ପ୍ରଫେସର ଶ୍ରୀମତୀ ଆର୍. ଶ୍ୱେତା ଓ ଆଇ.ବି.ଏମ୍ କ୍ୱାଣ୍ଟମ୍ ପ୍ରଶିକ୍ଷକ ଶ୍ରୀ ଜୟକୁମାର ବୈତ୍ୟାଶଙ୍କର ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ତଥା ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଭଳି ୧୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଭାଗୀୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
