ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରୁ ଉପକୂଳ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶନିବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଅନ୍ୟପକ୍ଷରେ, ରାଜ୍ୟର ଆଭ୍ୟନ୍ତରୀଣ ତଥା ପଶ୍ଚିମ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି।
ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଉପକୂଳ ସହରଗୁଡ଼ିକରେ ପାରଦ ଖସିଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୩୪.୮ ଡିଗ୍ରୀ, ପାରାଦୀପରେ ୩୧.୨ ଡିଗ୍ରୀ, ଗୋପାଳପୁରରେ ୩୦.୮ ଡିଗ୍ରୀ ଏବଂ ପୁରୀରେ ୩୧.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।
ଅପରପକ୍ଷେ, ପଶ୍ଚିମ ଓଡ଼ିଶାରେ ସୂର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ୍ ଛୁଇଁଥିବା ବେଳେ ସମ୍ବଲପୁରରେ ୪୨.୮ ଡିଗ୍ରୀ, ହୀରାକୁଦ ଓ ରାଉରକେଲାରେ ୪୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରେ ଦିନର ତାପମାତ୍ରା ଆହୁରି ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେବ। ଏପ୍ରିଲ ୨୬ ଏବଂ ୨୭ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ।
ଏହା ସହିତ ଆଗାମୀ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାହ୍ନ ବା ସନ୍ଧ୍ୟା ସମୟରେ ଘଡ଼ଘଡ଼ି, ବିଜୁଳି ସହ କାଳବୈଶାଖୀ ବର୍ଷା ଓ ଘଣ୍ଟାପ୍ରତି ୩୦ ରୁ ୫୦ କିମି ବେଗରେ ଝଡ଼ପବନ ହେବାର ସମ୍ଭାବନା ରହିଛି।
