IMG 20260424 WA0229

ବାମନଘାଟି ଉପଖଣ୍ଡ ରାଇରଙ୍ଗପୁରଠାରେ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳିତ. 

ରାଜ୍ୟ
ବାରିପଦା –  ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଅନୁରୂପ ଭାବେ ଗତକାଲି  ସନ୍ଧ୍ୟାରେ ରାଇରଙ୍ଗପୁର ସ୍ଥିତ ମହତାବ ଭବନ ଠାରେ ବ୍ଲକ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ସମାରୋହ -୨୦୨୬ ପାଳିତ ହୋଇଯାଇଛି।
ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ (ଲୋକସଭା )ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଶ୍ରୀ ଜ୍ଞାନ ରଞ୍ଜନ ହେମ୍ବ୍ରମ, ସାଂସଦଙ୍କ ପ୍ରତିନିଧି ଶ୍ରୀ ନବୀନ ରାମ,ସାଂସଦଙ୍କ ସଂଯୋଜକ ଶ୍ରୀ ମନୋଜ ଦାସ,ବିଧାୟକଙ୍କ ପ୍ରତିନିଧି ଶ୍ରୀ ଅଶୋକ କୁମାର ମହାନ୍ତ  ପ୍ରମୁଖ ଯୋଗ ଦେଇଥିଲେ।
ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା  ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ନବ ଚରଣ ମାଝୀ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ କ୍ଷମତା ବିକେନ୍ଦ୍ରୀକରଣ ହେତୁ ଏହାର ଉପକାରିତା  ଉପଲବ୍ଧି ଉପରେ ଆଲୋକପାତ କରି କହିଥିଲେ ଗ୍ରାମ ବିକଶିତ ଓ ସଶକ୍ତ  ହେଲେ ତଦନୁସାରେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ଓ ସଶକ୍ତ ହେବ। ପଂଚାୟତି ରାଜ ବ୍ୟବସ୍ଥା ଆମ ଗଣତନ୍ତ୍ରର ଏକ ଉତ୍କୃଷ୍ଟ ଆଧାର। ଗ୍ରାମ ବିକଶିତ ହେଲେ ବିକଶିତ ଓଡିଶା @୨୦୩୬   ସହିତ ବିକଶିତ ଭାରତ @୨୦୪୭ର ପରିକଳ୍ପନା ବାସ୍ତବତାରେ ପରିଣତ ହୋଇପାରିବ। ସେଥିପାଇଁ ସମସ୍ତଙ୍କ ମିଳିତ ଉଦ୍ୟମରେ ରାଇରଙ୍ଗପୁର ବ୍ଲକକୁ ଏକ ନମ୍ବର ବ୍ଲକ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
ଅନ୍ୟାନ୍ୟ ଅତିଥି ବୃନ୍ଦ ମଧ୍ୟ ପଂଚାୟତି ରାଜ ବ୍ୟବସ୍ଥାର ଉପାଦେୟତା ବିଷୟରେ ମତବ୍ୟକ୍ତ ରଖିଥିଲେ।
ଏହି ଅବସରରେ ଅତିଥିବୃନ୍ଦ ରାଇରଙ୍ଗପୁର ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଂଚାୟତର ୯ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ଏବଂ ୨ ଜଣ ହିତାଧିକାରୀ ନିର୍ଧାରିତ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ସେମାନଙ୍କୁ ଟ.୨୦,୦୦୦/- ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରି  ପୁରସ୍କୃତ କରିଥିଲେ।
ସେହିପରି ଅଧିକ ସଂଖ୍ୟକ ପ୍ରକଳ୍ପ କାର୍ଯ୍ୟ ସପୂର୍ଣ୍ଣ ସମ୍ପାଦନ କରି  ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ୪ ଜଣ ଅଧିକାରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ସମର୍ଦ୍ଧିତ କରାଯାଇଥିଲା।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଜନ ପ୍ରତିନିଧି, ପଂଚାୟତ ସମିତିର ନିର୍ବାଚିତ ସଦସ୍ୟ-ସଦସ୍ୟା, ସରପଞ୍ଚ, ଅନ୍ୟାନ୍ୟ କର୍ମ କର୍ତ୍ତା, ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ ସଂଚାଳନ କରିଥିବା ବେଳେ ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଶ୍ରୀମତୀ ପଣ୍ଡା  ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ
ବ୍ଲକ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ଅତ୍ୟାଧୁନିକ ନୂତନ ସଭାଗୃହକୁ ଲୋକସଭା ସାଂସଦ ନବଚରଣ ମାଝୀ ଏବଂ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିବୃନ୍ଦ ଶୁଭଉଦଘାଟନ କରିଛନ୍ତି l ସୂଚନା ଯୋଗ୍ୟକି 40 ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂତନ ଅତ୍ୟାଧୁନିକ ସଭାଗୃହଟି ଶୀତତାପ ନିୟନ୍ତ୍ରିତ ଓ ଏଥିରେ 80 ଜଣ ବସିବା ପାଇଁ ସିଟ ବ୍ୟବସ୍ଥା କରାଯାଇଅଛି l