Ocac n

OCAC ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା, ୭ ଦିନ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ରାଜ୍ୟ

ଭୁବନେଶ୍ୱର : OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ ‘ଭର୍ଚୁଆଲ୍ କ୍ଲାସରୁମ୍’ ପ୍ରସ୍ତୁତିରେ ଆସିଥିବା ଦୁର୍ନୀତି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବର୍ତ୍ତମାନ ଯେଉଁ ସବୁ ଅଭିଯୋଗ ଆସିଛି, ସେ ବିଷୟରେ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଅଭିଯୋଗର ସଠିକ୍ ତଦନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ରିପୋର୍ଟ ଆସିବା ପରେ ଯେଉଁମାନେ ବି ଦୁର୍ନୀତିରେ ସାମିଲ ଥିବେ ସେମାନଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ । ସରକାରୀ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ AI କ୍ଲାସରୁମ୍ ଓ କମ୍ପ୍ୟୁଟର ଲ୍ୟାବ୍ ସ୍ଥାପନା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଗତକାଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇଟି ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ ।