ବାରିପଦା : ସ୍ଥାନୀୟ ସହରସାହି ସ୍ଥିତ ଶିରିଡି ସାଇ ପୀଠର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସକାଳେ ମନ୍ଦିରରେ ଅଭିଷେକ ହୋମ ଓ ପ୍ରସାଦ ବଣ୍ଟନ ପରେ ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥୀ ମନ୍ଦିରରେ ଉପସ୍ଥିତ ରହି କିଛି ଭିନ୍ନକ୍ଷମ ପିଲାଙ୍କୁ ଅନ୍ନ,ବସ୍ତ୍ର ଓ ହୁଇଲ ଚେୟାର ପ୍ରଦାନ କରିଥିଲେ l ଉପସ୍ଥିତ ଭକ୍ତମାନଙ୍କୁ ଗୁରୁଜୀ ମନ୍ଦିରର ଇତିହାସ ବିଷୟରେ ବିସ୍ତୃତ ଭାବରେ କହିଥିଲେ l ଗୁରୁଜୀଙ୍କ ପୂଜନୀୟl ମାତା ସ୍ବର୍ଗତ ହର୍ଷମଣି ଶତପଥୀ ମନ୍ଦିର ପ୍ରତିଷ୍ଠା ପାଇଁ ଜାଗା ଦେଇଥିବା ବେଳେ ଓଡିଶା ତଥା ଓଡିଶା ବାହାରର ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ଏହି ମନ୍ଦିର ଗଢିଉଠିଥିଲା l ୨୦୦୧ ମସିହା ଏପ୍ରିଲ ୧୪ ରେ ମହାସମାରୋହରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା l ସେହିଦିନଠାରୁ ମନ୍ଦିରରେ ନିୟମିତ ପୂଜା, ଆରତୀ, ପାଲିଙ୍କି ଶୋଭାଯାତ୍ରା ଆଦି ହୋଇଆସୁଅଛି l ଏହା ବ୍ୟତୀତ ମନ୍ଦିରରେ ବହୁ ସମୟରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର, ସଂଗୀତ ଶିକ୍ଷା, ଅନ୍ନଦାନ ଆଦି କାର୍ଯ୍ୟକ୍ରମ କରାଯାଉଥିବା କଥା ମଧ୍ୟ ଗୁରୁଜୀ ପ୍ରକାଶ କରିଥିଲେ I
ଫାଇଲିନ ସମୟରେ ମନ୍ଦିର ମଧ୍ୟରେ ବନ୍ୟା ପାଣି ପଶି ଯାଇଥିଲେ ମଧ୍ୟ ମନ୍ଦିରର ସ୍ବେଚ୍ଛାସେବୀ କୁଳିଅଣା ନିକଟରେ ଥିବା ଗ୍ରାମବାସୀଙ୍କୁ ଖାଦ୍ୟ ପକେଟ ଓ ବସ୍ତ୍ର ବଣ୍ଟନ କରିଥିଲେ l ପବିତ୍ର ରଥଯାତ୍ରା ସମୟରେ ଥଣ୍ଡା ପାନୀୟ ସହ ଭଜନ ସନ୍ଧ୍ୟାର ଆୟୋଜନ କରାଯିବା କଥା କହିଥିଲେ l ସନ୍ଧ୍ୟା ସମୟରେ ସ୍ଥାନୀୟ ସହୀଦ ସ୍ମୁତି ଭବନରେ ଅନୁଷ୍ଠିତ ସଂସ୍କୃତିକ କାର୍ଯ୍ୟକ୍ରମ ବହୁତ ମନଛୁଅଁl ହୋଇଥିଲା l ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ ନଟରାଜ, ମହିଷାସୁର ମର୍ଦିନୀ ନୃତ୍ୟ ପରିବେଷଣ କରିଥିବା ବେଳେ ହରିହର କଳାମନ୍ଦିର ତରଫରୁ ଗୁରୁଜୀଙ୍କ ରଚିତ ଗୀତରେ ବହୁତ ସୁନ୍ଦର ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନକୁ କିଣିନେଇଥିଲେ l ଗୁରୁଜୀ ପ୍ରଥମେ ପ୍ରଦୀପ ଜାଳି ରଜତ ଜୟନ୍ତୀ ଉତ୍ସବକୁ ଶୁଭାରମ୍ଭ କରିଥିଲେ l ମନୋବିକାଶ କେନ୍ଦ୍ରର ମୁକ ଓ ବଧିର ଛାତ୍ରୀମାନଙ୍କର ସ୍ୱାଗତ ନାଚ ଅତି ଉଚ୍ଚକୋଟୀର ହୋଇଥିଲା I ଗୁରୁଜୀ ତାଙ୍କର ଅଭିଭାଷଣରେ ୨୫ ବର୍ଷଧରି ବିଭିନ୍ନ କ୍ଷେତ୍ରରେ ମନ୍ଦିର ପାଇଁ ସାହାଯ୍ୟ ଓ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଥିଲେ I
ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ଚୌଧୁରୀ ଭା. ପ୍ର. ସେ., ପ୍ରମୁଖ ଶାସନ ସଚିବ, ବିହାର ସରକାର, ସତ୍ୟବ୍ରତ ସାହୁ ଭା. ପ୍ର. ସେ. ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜସ୍ୱ ବୋର୍ଡ଼ର ସଦସ୍ୟ, ମେଜର ଚଣ୍ଡୀ ପ୍ରସାଦ ମହାନ୍ତି, ରାଜୀବ ଯୋଶୀ ଭା ପ୍ର ସେ, ପୂର୍ବତନ ସଚିବ ୟୁ ପି ଏ ସି, ଅରୁଣ କୁମାର ଭା ପୋ ସେ, ଆର. ପି. ଏଫ. ର ଡିଜି ତଥା ଆମେରିକା, ଦିଲ୍ଲୀ, ଉତ୍ତରାଖଣ୍ଡରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l କଟକ, ଭୁବନେଶ୍ୱର, ସମ୍ବଲପୁର, ବରଗଡ, ବାଲେଶ୍ୱରରୁ ଅନେକ ସାଇ ଭକ୍ତ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମକୁ ସୋମନାଥ ସିଂହ ପରିଚାଳନା କରିଥିଲେ l
