WhatsApp Image 2026 04 12 at 8.20.18 PM

ପ୍ରତିଶ୍ରୁତି ପ୍ରତିଷ୍ଠାନ ପକ୍ଷରୁ ପ୍ରାଚୀନ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନା ଚକ୍ର

ରାଜ୍ୟ

ବାରିପଦା : ଓଡିଆ ପକ୍ଷ ପାଳନ ଅବସରରେ ମୟୂରଭଞ୍ଜର ଅଗ୍ରଣି ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରାଚୀନ ସାହିତ୍ୟରେ ପ୍ରାଚୀନ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଶୀର୍ଷକ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ମହର୍ଷି ପବ୍ଲିକ ସ୍କୁଲର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରର ଆରମ୍ଭରେ “ପ୍ରତିଶ୍ରୃତି” ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଭକ୍ତକବି ଦୀନକୃଷ୍ଣଙ୍କ ପର୍ଯ୍ୟନ୍ତ ପ୍ରାଚୀନ କବି ମାନଙ୍କ ସାହିତ୍ୟରେ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ବର୍ଣ୍ଣିତ ସୁଲଳିତ ପଦାବଳୀକୁ ସୁନ୍ଦର ଭାବରେ ଉପସ୍ଥାପନ କରି ଓଡିଆ ଭାଷା ଓ ସାହିତ୍ୟର ଓ ପ୍ରତ୍ୟେକ ଓଡିଆଙ୍କର ଅସ୍ମିତାର ପ୍ରତୀକ ଶ୍ରୀ ଜଗନ୍ନାଥ ବୋଲି କହିଥିଲେ ।

 

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡ. ବିଚିତ୍ର ନାଥ ସାହୁ ଓଡିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ଶ୍ରୀ ଜଗନ୍ନାଥ ସଂସ୍କୃତି ଏକ ଉନ୍ନତ ପାରିବାରିକ ଜୀବନର ଦୃଷ୍ଟାନ୍ତ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ କବୟିତ୍ରୀ ବିରଜା ଦେବୀ ଓ ସମାଜ ସେବୀ ଶରତ ଚନ୍ଦ୍ର ନାୟକ ଆମେ ନିଜକୁ ଓଡିଆ ବୋଲି ଗର୍ବ କରିବାକୁ ଆହ୍ୱାନ ଦେଇଥିଲେ|

ସଭାପତି ଡା.ଜେନା ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀମାନେ କ୍ରମଶଃ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଓଡିଆ ଭାଷା ଓ ଜାତିର ଅସ୍ତିତ୍ୱକୁ ଭୁଲିଯିବା ଏକ ନିନ୍ଦନୀୟ ଘଟଣା ବୋଲି ଉଲ୍ଲେଖ କରି ମାତୃଭାଷା ପ୍ରୀତିକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କବୟିତ୍ରୀ ସୁଧାମୟୀ ଦାସ ଓ ମିନତୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ସ୍ନେହଲତା ନାୟକ, ନରସିଂହ ବାରିକ, ବନମାଳୀ ପାତ୍ର, ହରିହର ବେହେରା, ଭଗବତୀ ଦାଶ, ସବିତା ମିଶ୍ର, ରଶ୍ମିତା ପାତ୍ର, ଡ.ଶଶିଧର ବିଶ୍ୱାଳ, ଡ.ସଞ୍ଜିବ କୁମାର ପାଣିଗ୍ରାହୀ, ପୁଷ୍ପଲତା ସାହୁ, ବାସନ୍ତୀଲତା ମହାପାତ୍ର, ଦୋଳଗୋବିନ୍ଦ ମହାନ୍ତ, ଭାସ୍ୱତୀ ପଣ୍ଡା, ସବିତା ରାଣୀ ସିଟ୍‌, ରାଜଲକ୍ଷ୍ମୀ ଦାସ, ବିଶ୍ୱମିତ୍ରା ଦାସ, ଦୀପଙ୍କର ମିଶ୍ର, ଗୋପାଳ ଚନ୍ଦ୍ର ଦତ୍ତ, ଦିଲ୍ଲୀପ କୁମାର ଆଇଚ୍‌, ଅଶୋକ କୁମାର ପଲେଇ ଓ ଗୌରହରୀ ମହାନ୍ତ ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ କବି ସେମାନଙ୍କର ସ୍ୱରଚିତ କବିତା ଆବୃତି କରିଥିଲେ । ବେଦପାଠ କରିଥିଲେ ଡ. ସଞ୍ଜିବ କୁମାର ପାଣିଗ୍ରାହୀ, ପ୍ରାରମ୍ଭରେ ଡ.ଶଶିଧର ବିଶ୍ୱାଳ ଅତିଥି ମାନଙ୍କୁ ମଞ୍ଚଆମନ୍ତ୍ରଣ କରିଥିବା ବେଳେ ପରିଶେଷରେ କବି ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।