ବାରିପଦା : ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୌରପରିଷଦ ଅତିଥିଶାଳାରେ ଅନୁଷ୍ଠିତ ହୋଇ ଯାଇଛି l ବିଶ୍ୱପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ସେବାନିବୃତ୍ତ ପୁଲିସ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷର କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ ହୋଇଛି l ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସର ସଂଯୋଜକ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଚଳିତ ବର୍ଷ ଏହି ଦିବସକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇ ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ l ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିଭାବ ପ୍ରଦର୍ଶନ ନିମିତ୍ତ ୨୦୧୭ ରୁ ନିରବଛିନ୍ନ ଭାବେ ପ୍ରତିବର୍ଷ ଏପ୍ରିଲ ୨୧ ରେ ଏହି ଦିବସ ପାଳନ ହୋଇ ଆସୁଥିବା ନେଇ ସୂଚନା ଦିଆଯାଇଥିଲା l ସୂଚନା ଯୋଗ୍ୟ ଯେ, ବାରିପଦାରୁ ଏହି ଦିବସ ପାଳନର ଅୟମାରମ୍ଭ ହୋଇ ଏବେ ଏହା ସାଂସ୍କୃତିକ ତଥା ସାମାଜିକ ଆନ୍ଦୋଳନରେ ପରିଣତ ହେବା ସହ ସାରା ବିଶ୍ୱକୁ ବ୍ୟାପିଛି l
ବିଶ୍ୱର କୋଣ ଅନୁକୋଣରେ ଥିବା ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ, ଚିନ୍ତାନାୟକ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଏପ୍ରିଲ ୨୧ ରେ “ବନ୍ଦେ ବରପୁତ୍ରମ” କାର୍ଯ୍ୟକ୍ରମ ଜରିଆରେ ପ୍ରତିମୂର୍ତ୍ତି ସଫେଇ ସହ ସଂରକ୍ଷଣ ପାଇଁ ପ୍ରୟାସ କରାଯାଇ ଆସୁଛି l ଚଳିତ ବର୍ଷ ଏହାକୁ ଆହୁରି ପ୍ରଭାବୀ ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତି ବୈଠକରେ ମତ ପ୍ରକାଶ ପାଇଥିଲା I ଆଲୋଚନାରେ ସେବାନିବୃତ୍ତ ବରିଷ୍ଠ କ୍ରୀଡ଼ା ପ୍ରଶାସକ କୁମାର ରଞ୍ଜନ ପଣ୍ଡା, ଡ଼ ବନଜା ମହାନ୍ତି, ଡ଼ ପୁଷ୍ପା ପାତ୍ର,ଡ଼ ଶ୍ୟାମ ସୁନ୍ଦର ଦାସ, ଶିକ୍ଷାବିତ ସୁନୀଲ ଜେନା, ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ପ୍ରମୁଖ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ l ଚଳିତ ବର୍ଷ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାକୁ ଏକ ୧୫ ଜଣିଆ କୋର କମିଟି ଗଠିତ ହୋଇଛି l ଏଥିରେ କ୍ଷେତ୍ରମୋହନ ପଣ୍ଡା, ସୋମନଥନ ସିଂହ, ଲକ୍ଷ୍ମୀଧର ଜେନା, କୁମାର ରଞ୍ଜନ ପଣ୍ଡା, ବରେନ୍ଦ୍ର ମହାନ୍ତି, ଡ.ଶ୍ୟାମ ସୁନ୍ଦର ଦାସ, ସୁନୀଲ କୁମାର ଜେନା, ସାଇ ପ୍ରକାଶ ମହାନ୍ତି, ପ୍ରଦୀପ କର, ଇ. ସୁନିଲ ପ୍ରଧାନ, ଦଶରଥ ମହାନ୍ତ, କିଚକ ବେହେରା, ଜ୍ୟୋତିରଞ୍ଜନ ଦାସ, ଡ଼ ପୁଷ୍ପା ପାତ୍ର, ପ୍ରଣତି ଦାସ ପ୍ରମୁଖ ଅଛନ୍ତି l ଏହି କୋର କମିଟିର ପ୍ରତ୍ୟକ୍ଷ ପରିଚାଳନା ରେ ସବୁଠି ଏହି ଦିବସକୁ ଅତ୍ୟନ୍ତ ଶ୍ରଦ୍ଧା ଓ ଆନ୍ତରିକତାର ସହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି l
ଏହି ଅବସରରେ ପ୍ରାରମ୍ଭରେ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ମାଆ ମନୋରମା ମହାନ୍ତି ଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l କପ୍ତିପଦାରେ ଶହୀଦ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଶାଢ଼ି ପିନ୍ଧାଇ ବରପୁତ୍ରଙ୍କ ପ୍ରତି ଅପମାନ କରିଥିବାରୁ ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ଏହା ଏକ ଅକ୍ଷମଣୀୟ ଅପରାଧ ଭାବେ ବିବେଚନା କରି ଦୋଷୀ କୁ ଦଣ୍ଡ ଦେବାକୁ ଦାବି ହୋଇଛି l ଶେଷରେ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମ କୁ ଆଗେଇ ନେବାକୁ ସମସ୍ତଙ୍କୁ ଅନୁରୋଧ ଜଣାଇଥିଲେ l ଏହି ପ୍ରସ୍ତୁତି ବୈଠକରେ ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜର ସଚେତନ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ l
