- ଗାଁ ଗାଁରେ ପହଞ୍ଚିଲା ‘ଆସ ସ୍କୁଲ ଯିବା’ ବାର୍ତ୍ତା
ବାରିପଦା : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ବାରିପଦା ବ୍ଲକରେ ଆୟୋଜିତ ‘ଶିକ୍ଷା ସଚେତନତା ରଥ’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି। ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ଏବଂ ଶିକ୍ଷା ପ୍ରତି ସମାଜରେ ବ୍ୟାପକ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା I ବ୍ଲକ୍ ଶିକ୍ଷା ଅଧିକାରୀ ଡଃ ଅଭିମନ୍ୟୁ ସେଠୀଙ୍କ ତତ୍ୱାବଧାନରେ ତଥା ଏ ବି ଇ ଓ ତଥା ବି ଆର ସି ସି ତପସ୍ୱିନୀ ଦାଶ ଏବଂ ଏ ବି ଇ ଓ ବ୍ରଜମୋହନ ମୁର୍ମୁଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା I ଚଳିତ ମାସ ୪ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ଏହି ଶିକ୍ଷା ରଥ ବାରିପଦା ବ୍ଲକ୍ର ମୋଟ ୧୩ ଗୋଟି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ, ଗ୍ରାମ ଏବଂ ହାଟ ଅଞ୍ଚଳରେ ବୁଲିଥିଲା I ‘ଆସ ସ୍କୁଲ ଯିବା’ ର ବାର୍ତ୍ତାକୁ ଏହି ରଥ ପ୍ରତିଟି ଗଳିକନ୍ଦିରେ ପହଞ୍ଚାଇବାରେ ସଫଳ ହୋଇଛି ବୋଲି ବି ଇ ଓ ଶ୍ରୀ ସେଠି ପ୍ରକାଶ କରିଛନ୍ତି I
ଏହି ଜନସଚେତନତା ମୂଳକ କାର୍ଯ୍ୟକ୍ରମରେ ଡାଏଟ୍, ବାରିପଦାର ଶିକ୍ଷକମାନେ ମଧ୍ୟ ସାମିଲ ହୋଇ ରଥକୁ ଉତ୍ସାହର ସହ ସ୍ୱାଗତ କରିଥିଲେ I ଏହି ଅଭିଯାନରେ ୧୩ଟି କ୍ଲଷ୍ଟରର ସମସ୍ତ ସିଆରସିସି, ଶିକ୍ଷକ/ଶିକ୍ଷୟତ୍ରୀ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ I ପ୍ରତ୍ୟେକ ଅଞ୍ଚଳରେ ରଥକୁ ସାଧାରଣ ଜନତାଙ୍କ ନିକଟରୁ ବିପୁଳ ସମର୍ଥନ ଓ ସହଯୋଗ ମିଳିଥିବା ଦେଖିବାକୁ ମିଳିଥିଲା I ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିବାର ଏବଂ ଜନସାଧାରଣ ବେଶ୍ ଆଗ୍ରହ ଓ ଉଦ୍ଦୀପନାର ସହ ରଥକୁ ସ୍ଵାଗତ କରିଥିଲେ I ଶେଷ ଦିନ ୧ ନମ୍ବର ୱାର୍ଡର କାଉନସିଲର ସୁକେଶିନୀ ସେଠୀ ଏବଂ ରେଡକ୍ରସର ଆଜୀବନ ସଦସ୍ୟ ତଥା ସମାଜସେବୀ ଅମର ସେଠୀ ବୁଢ଼ୀଖମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଶିକ୍ଷା ରଥର କର୍ମକର୍ତ୍ତାମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ରଥକୁ ଏକ ଭବ୍ୟ ସ୍ଵାଗତ ଜଣାଇଥିଲେ। ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଏକ ନୂତନ ଶିକ୍ଷା ବିପ୍ଳବର ବାର୍ତ୍ତା ବହନ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
