Xxxxxxxxxx

ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଫାଗୁ ବାସ୍କେଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ 

ରାଜ୍ୟ
ବାରିପଦା  :  ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ  ଦଶିଶୋଳ ଠାରେ ଗୁରୁ ଗୋମକେ ୟୁଥ କ୍ଲବ–ଦଶିଶୋଳ, ସାନ୍ତାଳୀ ଶିକ୍ଷକ ସଂଘ (ବାଙ୍ଗିରିପୋଷି ଶାଖା), ଭାରତ ଜାକାତ୍ ମାଝୀ ପାର୍ଗାନା ମହଲ, ମାସା ଆର୍ମୀ ଓ ସାନ୍ତାଳୀ ଇ-ପତ୍ରିକା ‘ବିରମାଲି’ଙ୍କ ମିଳିତ ପ୍ରୟାସରେ  ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର–୨୦୨୫ରେ ସମ୍ମାନିତ ଯୁବ କବି ଫାଗୁ ବାସ୍କେଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଭୋଳାଗଡିଆ ଗ୍ରାମର ପ୍ରତିଭାଶାଳୀ ଯୁବ ସାହିତ୍ୟିକ ଫାଗୁ ବାସ୍କେଙ୍କୁ ଏହି ଅବସରରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା।
ସମାରୋହରେ ମୁଖ୍ୟ ଅତିଥି ଭାବେ ୨୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ତଥା ନିଶ୍ଚିନ୍ତା ମାଝି ବାବା  ରାମଚନ୍ଦ୍ର ମୁର୍ମୁ ଉପସ୍ଥିତ ଥିଲେ। ଏହା ସହିତ ଭାରତ ଜାକାତ୍ ମାଝୀ ପାର୍ଗାନା ମହଲର ବାଙ୍ଗିରିପୋଷି ମୁଲୁକ ପାର୍ଗାନା ସନେର ସିଂ ହାଁସଦା, ସାନ୍ତାଳୀ ଶିକ୍ଷକ ବାଗାୟ ହାଁସଦା, ଶାଶଳାଘାଟ ପାର୍ଗାନା ଦୁଲାଶ୍ୟାମ ହେମ୍ବ୍ରମ, ମାସା ଆର୍ମୀ ବାଙ୍ଗିରିପୋଷି ବ୍ଲକ ସଭାପତି କୁଟିଆ ଟୁଡୁ, ପିତାମ୍ବର ମାର୍ଣ୍ଡି, ନାୟକେ ବାବା ଫୁର୍ଲାଇ ସୋରେନ, ଦଶିଶୋଳ ମାଝି ବାବା ସୁନାରାମ ସୋରେନ, ସାନ୍ତାଳୀ ଶିକ୍ଷକ ମହାସଂଘ ବାଙ୍ଗିରିପୋଷି ବ୍ଲକ ସମ୍ପାଦକ ଶିଲୁ ମୁର୍ମୁ ଓ ‘ବିରମାଲି’ର ପ୍ରତିଷ୍ଠାତା ଅଶ୍ୱନୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ।
ଅତିଥିମାନେ ଫାଗୁ ବାସ୍କେଙ୍କ ସାହିତ୍ୟିକ ସାଧନାକୁ ଉଚ୍ଚ ପ୍ରଶଂସା କରିଥିବା ସହିତ ତାଙ୍କର ଏହି ସଫଳତାକୁ ସମଗ୍ର ବାଙ୍ଗିରିପୋଷି ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ମତ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ତାଙ୍କର ଏହି ସଫଳତା ଅଞ୍ଚଳର ଯୁବପିଢ଼ିଙ୍କୁ ନିଶ୍ଚୟ ଭାବେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବ।
ଏହି ଅବସରରେ ଶ୍ରୀ ବାସ୍କେ ନିଜ ସାହିତ୍ୟିକ ଯାତ୍ରା ସମ୍ପର୍କରେ ଅନୁଭବ ବାଣ୍ଟିଥିଲେ, ମାତୃଭାଷାରେ ନିଜର ଭାବନା ପ୍ରକାଶ କରିବାରେ ସର୍ବାଧିକ ସନ୍ତୋଷ ଓ ସୁଖ ମିଳେ ବୋଲି କହିଥିଲେ। କାର୍ଯ୍ୟକ୍ରମଟିକୁ ଦଶିଶୋଳ ଅଲ୍ ଇତୁନ ଆଶ୍ଳାର ସାନ୍ତାଳୀ ଶିକ୍ଷକ ମେଘରାୟ ହେମ୍ବ୍ରମ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, ତପନ କୁମାର ସୋରେନ ସହଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ବର୍ଗରେ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଏ। ୨୦୨୫ ବର୍ଷ ପାଇଁ ଯୁବ ଲେଖକ ବର୍ଗରେ ଫାଗୁ ବାସ୍କେଙ୍କୁ ତାଙ୍କ କବିତା ସଂକଳନ “ଆଳା ସାଓଁ ଇଞ୍ଜ୍” ପାଇଁ ସେ ଗତ ମାର୍ଚ୍ଚ ୩୧ ତାରିଖରେ ନୂଆଦିଲ୍ଲୀର ଶ୍ରୀରାମ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ  ସମ୍ମାନିତ କରାଯାଇଥିଲା।