ବାରିପଦା (୦୪/୦୪) : ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ କ୍ରମେ ନୂତନ ଶିକ୍ଷାବର୍ଷ ଉପଲକ୍ଷେ ସମଗ୍ର ଶିକ୍ଷା, ମୟୂରଭଞ୍ଜ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ “ପ୍ରବେଶ ଉତ୍ସବ ଓ ଖଡି ଛୁଆଁ” କାର୍ଯ୍ୟକ୍ରମ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଭାରତୀ ହାଁସଦା, ବିଶେଷ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ ଯୋଗ ଦେଇଥିଲେ I
ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିହାରିକା ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର, ଶଶୀଧର ସିଂ ଓ ବିନୋଦ ସିଂ ପ୍ରମୁଖ ଯୋଗଦାନ କରିଥିଲେ I ଓଡିଆ ପକ୍ଷ ପାଳନ ଅବସରରେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଭଳି ଏକ ଅନନ୍ୟ କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଶିଶୁମାନଙ୍କର ଖଡି ଛୁଆଁ କାର୍ଯ୍ୟକ୍ରମ ସମ୍ପାଦନ କରିବା ସହ ବିଦ୍ୟାଳୟରେ ପ୍ରବେଶ କରାଇଥିଲେ ଏବଂ ପ୍ରତି ପିଲାଙ୍କୁ ନୂତନ ପୁସ୍ତକ ଓ ସ୍କୁଲବ୍ୟାଗ ପ୍ରଦାନ କରିଥିଲେ I
ଏହି କାର୍ଯ୍ୟକ୍ରମରେ ନୂଆ କରି ନାମ ଲେଖାଇଥିବା ପିଲାମାନଙ୍କ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବାରିପଦା ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣ ଉପସ୍ଥିତ ଥିଲେ I ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ସର୍ବମୋଟ ୪୬,୬୩୨ ଜଣ ଛାତ୍ରଛାତ୍ରୀ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନୂଆ କରି ନାମ ଲେଖାଇବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠି ଜଣାଇଛନ୍ତି I ଆଜି ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଖଡି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ସଚେତନତା ପାଇଁ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶିକ୍ଷା ରଥ ଚଳିତ ମାସ ୪ ତାରିଖ ଠାରୁ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତିଟି ଗ୍ରାମ, ସାହି, ପଡା, ବିଦ୍ୟାଳୟ ଓ ସାପ୍ତାହିକ ହାଟ, ସହରାଞ୍ଚଳର ବିଭିନ୍ନ ବସ୍ତି ଗୁଡିକୁ ପରିକ୍ରମା କରି ଶିକ୍ଷାର ବାର୍ତ୍ତାପ୍ରଦାନ କରିବ I ସଭିଏଁ ସ୍କୁଲ ଯିବା ସହ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରିତ ପାଠ୍ୟକ୍ରମ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଏବଂ ସରକାରଙ୍କ ବିଭିନ୍ନ ବିଭାଗ ଦ୍ଵାରା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇବ I ଉପରୋକ୍ତ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି, ସମନ୍ଵିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ, ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ, ଶୈକ୍ଷିକ ସଂଯୋଜିକା ଶୈଳବାଳା ବେହେରା, ଅର୍ଥ ପରାମର୍ଶଦାତା ଅଶୋକ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା I ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହରାଞ୍ଚଳ ଆବାସିକ ଛାତ୍ରାବାସର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
