Zzz

ଓଡ଼ିଆରେ ନାମ ଫଳକ ଲେଖା ସଚେତନତା ପଦଯାତ୍ରା ଅନୁଷ୍ଠିତ : ଜିଲ୍ଲାର ସମସ୍ତ ଦୋକାନରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ଆହ୍ୱାନ 

ରାଜ୍ୟ
ବାରିପଦା, (୦୪/୦୪) :  ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ମୟୂରଭଞ୍ଜ ତରଫରୁ ଜିଲ୍ଲାସ୍ତରୀୟ ‘ଓଡ଼ିଆରେ ନାମ ଫଳକ ଲେଖା’ ଅଭିଯାନ  ଆୟୋଜିତ ହୋଇଛି । “ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬” ଅନୁଯାୟୀ ଜିଲ୍ଲାର ସମସ୍ତ ଦୋକାନ, ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କର ନାମ ଫଳକକୁ ନିର୍ଭୁଲ ଏବଂ ସ୍ପଷ୍ଟ ଭାବରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଏହି ଅଭିଯାନ ମାଧ୍ୟମରେ ଆହ୍ୱାନ କରାଯାଇଛି ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାରିପଦାରୁ ଏକ ସଚେତନତା ପଦଯାତ୍ରା ଓ ରଥଯାତ୍ରା ଆୟୋଜିତ ହୋଇଛି । ଏହା ସହରର ବିଭିନ୍ନ ପ୍ରମୁଖ ଅଞ୍ଚଳ ମଧ୍ୟଦେଇ ରାଲି କରି ସ୍ଥାନୀୟ ଛଉ ପଡ଼ିଆରେ ସମାପନ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ଗଇପାଇ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଶୁଭାଶିଷ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶ୍ରମ ସଂଗଠନ, ସ୍ୱେଚ୍ଛାସେବୀ, ଏନଜିଓ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ, ଓଡ଼ିଆ ଭାଷାର ମହତ୍ତ୍ୱ, ଏହାର ସଂରକ୍ଷଣ ଓ ସାମାଜିକ ଜୀବନରେ ଏହାର ବ୍ୟାପକ ବ୍ୟବହାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ନିଜ ଦୋକାନ ଓ ପ୍ରତିଷ୍ଠାନର ନାମ ଫଳକକୁ ଓଡ଼ିଆରେ ଲେଖିବା ମାଧ୍ୟମରେ ଆମେ ନିଜ ଭାଷାକୁ ସମ୍ମାନ ଦେବା ସହ ଏହାର ସମୃଦ୍ଧିକୁ ଆଗେଇ ନେଇପାରିବା ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।
ସେହିପରି, ସଚେତନତା ପଦଯାତ୍ରା ପରେ ବିଭିନ୍ନ ଅଧିକାରୀମାନଙ୍କ ସ୍ୱତନ୍ତ୍ର ଦଳ ଦ୍ୱାରା ବିଭିନ୍ନ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କର ନାମଫଳକ ନିରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯାଇ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ତାଗିଦ୍ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଶ୍ରମ ଅଧିକାରିଣୀ, ବାରିପଦା ପାନମଣୀ ସୋରେନ୍, ଅତିରିକ୍ତ ଶ୍ରମ ଅଧିକାରୀ ତନ୍ମୟ ବସା, ଗୋବିନ୍ଦ ସୋରେନ୍, ସ୍ମୃତିରେଖା ନାଥ୍, ଟିକିଲିମଣୀ ସୋରେନ୍ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ ।