Photo2 for the news of eviction

ପ୍ରତିକ୍ଷାର ଅନ୍ତ ଘଟିଲା : ଆରମ୍ଭ ହେଲା ଆଗରପଡ଼ାରେ ଜବଲଦଖଲ ଉଚ୍ଛେଦ ପ୍ରକ୍ରିୟା

ରାଜ୍ୟ

ଆଗରପଡ଼ା  : ବିଭିନ୍ନ ଗଣମାଧ୍ୟମରେ ବନ୍ତ ବ୍ଲକ ବଡ଼ହାଟତ୍ରିଲୋଚନପୁର ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ବାଧା ସୃଷ୍ଟି କରୁଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରୀ କରାଯାଇଥିଲା;ହେଲେ ତାହା କାର୍ଯ୍ୟକାରୀ ହୋଇପାରୁନଥିବାରୁ ପ୍ରଶାସନର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ ହୋଇ ଆସୁଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରଶାସନ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବନ୍ତ ବ୍ଲକ ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି ଓ ବନ୍ତ ଥାନାଧିକାରିଣୀ ମୋନାଲିସା କରଙ୍କ ଉପସ୍ଥିତରେ ଆରମ୍ଭ ହୋଇଛି । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲେ ମଧ୍ୟ ଶେଷରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ବନ୍ତ ବ୍ଲକ ବଡ଼ହାଟତ୍ରିଲୋଚନପୁର ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ବାଧା ସୃଷ୍ଟି କରୁଥିବା ଖବର ପ୍ରକାଶ ପାଇବା ପରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରୀ କରାଯାଇଥିଲା କିନ୍ତୁ କାର୍ଯ୍ୟକାରୀ ହୋଇପାରୁ ନଥିଲା । ଶେଷରେ ବିଟିପୁର ସରପଂଚଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।

ସରପଂଚଙ୍କ ଅଭିଯୋଗ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତହସିଲଦାର,ବନ୍ତଙ୍କୁ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଥିଲା । ନିର୍ଦ୍ଦେଶ ପାଇବା ପରେ ତହସିଲଦାର,ବନ୍ତ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୯୫୧/୧୭.୧୦.୨୫ରେ ତାଙ୍କ ଉତ୍ତର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିଥିବା ଜଣାପଡିଥିଲା । ପତ୍ରରେ ବିଟିପୁର ମୌଜା,ଖାତା ନଂ୨୭୦,ପ୍ଲଟ ନଂ୭୧୩,ଏ୦.୩୨ଡ଼ି.,କିସମ-ରାସ୍ତା ଯାହାକି ସରକାରୀ ନଥିପତ୍ରରେ ‘ସର୍ବସାଧାରଣ’ଙ୍କ ନାମରେ ଉଦ୍ଦିଷ୍ଟ । ଉକ୍ତ ଜାଗାକୁ କିଛି ସ୍ଥାନୀୟ ଲୋକ ଜବରଦଖଲ କରି ରଖିଛନ୍ତି । ଉକ୍ତ ଜବରଦଖଲକାରୀଙ୍କୁ ଚିହ୍ନଟ କରାଯାଇ ତାଙ୍କ ଉପରେ ଜମି ଅନଧିକୃତ ଦଖଲ ମାମଲା ଦାୟର କରାଯିବା ସହ ଫର୍ମ ‘କ’ ଓ ‘ଖ’ମଧ୍ୟ ପ୍ରେରଣ କରାଯାଇଛି । ତତ୍ ସହିତ ବିଟିପୁର ମୌଜା,ଖାତା ନଂ୨୭୧,ପ୍ଲଟ ନଂ୩୮୨,କିସମ-ଗୋଚରକୁ ଜନୈକ ମୁକୁନ୍ଦ ସାହୁ ନାମକ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ତା ଉପରେ ଚାଳଛପର ଘର ନିର୍ମାଣ କରିଥିବାରୁ ତାଙ୍କ ଉପରେ ଏଲ.ଇ କେସ ଦାୟର କରାଯାଇଛି । ଏବଂ ବର୍ଷା ଋତୁ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର,ବନ୍ତ ଉଲ୍ଲେଖ କରିଥିବା ଜଣାପଡ଼ିଥିଲା ।

ଏଠାରେ ପ୍ରକାଶ ଥାଉକି;୨୦୨୩-୨୪ରେ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ବିଟିପୁର ସୁଲଭ ଶୌଚାଳୟ ନିକଟରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ନିମନ୍ତେ ୪ଲକ୍ଷ ଟଙ୍କା ମଂଜୁର ହୋଇଅଛି । ତତ୍ ସହିତ ପଂଚାୟତ ସଂକଳ୍ପ ଥିମରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୫୦ହଜାର ଅର୍ଥ ରାଶି ମଧ୍ୟ ମଂଜୁର ହୋଇଅଛି । କିନ୍ତୁ ବିଟିପୁର ମୌଜାର ମୁଖ୍ୟ ପିଡ଼ବ୍ଳ୍ୟୁଡ଼ି ସଡ଼କକୁ ସଂଲଗ୍ନ କରୁଥିବା ବିଟିପୁର ମୌଜା,କିସମ-ଗ୍ରାମ୍ୟ ରାସ୍ତା ସରକାରଙ୍କ ସର୍ବସାଧାରଣ ଖାତା ନଂ୨୭୦,ପ୍ଲଟ ନଂ୭୧୩ରେ ନିର୍ମିତ ହେଉଥିବା ସୁଲଭ ଶୌଚାଳୟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଅଛି । ସୁଲଭ ଶୌଚାଳୟ ସମ୍ମୁଖରେ ପିଡ଼ବ୍ଳ୍ୟୁଡ଼ି ସଡ଼କକୁ ସଂଲଗ୍ନ କରୁଥିବା ଅବଶିଷ୍ଟ ପରିତ୍ୟକ୍ତ ତଥା ଖାଲି ପଡ଼ିଥିବା ଉକ୍ତ ପ୍ଲଟର ପାଖାପାଖି ଏ୦.୩୨ଡ଼ି.ମଧ୍ୟରୁ ଏ ୦.୦୭ଡ଼ି. ଜମିରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କେନ୍ଦ୍ର ନିର୍ମାଣ ପାଇଁ ସ୍ଥିର ହୋଇଥିଲେ ସୁଦ୍ଧା ଉକ୍ତ ରାସ୍ତା ଜବରଦଖଳକାରୀଙ୍କ କବଜାରେ ଥିବାରୁ ( କିଛି ଉଠା ଦୋକାନୀ) ସୁଲଭ ଶୌଚାଳୟ ନିର୍ମାଣ ସଂପୁର୍ଣ୍ଣ ହୋଇପାରୁନାହିଁ । ସେହିପରି ସରକାରୀ ଅନୁଦାନରେ ଏଏନଏମ ସେଣ୍ଟର ଓ କନିଷ୍ଠଯନ୍ତ୍ରୀଙ୍କ କ୍ୱାର୍ଟର ଆଦି ନିର୍ମାଣ ହୋଇଥିଲେ ସୁଦ୍ଧା ଏହାର ସମ୍ମୁଖ ଭାଗ ମଧ୍ୟ ଜବରଦଖଲରେ ଅଛି । ସରକାରୀ ଜାଗାରୁ ଜବର ଦଖଲ ଉଚ୍ଛେଦ ପାଇଁ ପଂଚାୟତ ତରଫରୁ ବହୁବାର ତହସିଲଦାର,ବନ୍ତଙ୍କୁ ଅବଗତ କରାଯିବା ସହିତ ବିଧାୟକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ପରେ ବିଧାୟକ ପତ୍ର ସଂଖ୍ୟା ୩୫/୨୦୨୪,ତା୦୯.୦୮.୨୪ରେ ତହସିଲଦାର,ବନ୍ତଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ କିନ୍ତୁ ୭ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପଂଚାୟତ ପକ୍ଷରୁ ଗତ ଜାନୁଆରୀ ମାସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ ପରେ ଜିଲ୍ଲାପାଳ ବ୍ଲକ ପ୍ରଶାସନକୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ପ୍ରଶାସନ ପତ୍ର ସଂଖ୍ୟା ୩୦୭,ତା୩୦.୦୧.୨୦୨୫ରେ ତହସିଲଦାରଙ୍କୁ ଜାଗା ଚିହ୍ନଟ କରିବା ସହ ଜବରଦଖଲରେ ଥିବା ଜାଗାକୁ ଜବରଦଖଲ ମୁକ୍ତ କରିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । କିନ୍ତୁ ୨ମାସରୁ ଅଧିକ ସମୟ ବିତିଯିବା ପରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପଂଚାୟତ ପକ୍ଷରୁ ଗତ ଏପ୍ରିଲ ମାସରେ ଜିଲ୍ଲାପାଳଙ୍କୁ ପୁନଃ ସାକ୍ଷାତ କରାଯାଇଥିଲା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ବାରମ୍ବାର ନୋଟିସ ଜାରୀ ହେଉଥିଲା କିନ୍ତୁ ତାହା କାର୍ଯ୍ୟକାରୀ ହେଉନଥିଲା । ଗତ ଅଗଷ୍ଟ ମାସ ୮ତାରିଖରେ ଉଚ୍ଛେଦ ପାଇଁ ନୋଟିସ ଜାରୀ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ତେଣୁ କେଉଁ କାରଣରୁ ଓ କେଉଁ ଉଦ୍ଦେଶ୍ୟରେ ଉଚ୍ଛେଦ ପ୍ରକ୍ରିୟାରେ ବାଧା ଉପୁଜୁଛି ତାହାର ବିଧିବଦ୍ଧ ତଦନ୍ତ କରିବା ସହ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେବାକୁ ସରପଂଚ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ଜଣାପଡ଼ିଥିଲା ।