Screenshot 2025 11 13 160801 750x430

୦-୬ ବର୍ଷ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ହେବ ସର୍ଭେ

ରାଜ୍ୟ

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲାରେ ଥିବା ୦-୬ ବର୍ଷ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ କରାଯିବ। ଭିନ୍ନକ୍ଷମ ଅଧିକାର, ଅଧିନିୟମ ୨୦୧୬ ଅନୁସାରେ ଅକ୍ଷମତାର ସମସ୍ତ ୨୧ଟି ବର୍ଗକୁ ସର୍ଭେରେ ଗୁରୁତ୍ବ ଦିଆଯିବ। ଏହି ସର୍ଭେ ୩୦ ଦିନ ବା ଏକମାସ ମଧ୍ୟରେ ସମାପ୍ତ ହେବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ବିଭାଗ ପକ୍ଷରୁ ଏଥିପାଇଁ ପ୍ରତି ଜିଲାକୁ ୧ ଲକ୍ଷ ଟଙ୍କା ମିଳିବ।ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ ନେଇ ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି।

ସୂଚନା ଅନୁଯାୟୀ, ନିକଟରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ଏକ ମିଳିତ ବୈଠକ ହୋଇଥିଲା। ଦିବ୍ୟାଙ୍ଗ ଶିଶୁଙ୍କ ଏକ ବିସ୍ତୃତ ସର୍ଭେ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଏସ୍‌ଓପି ଜାରି ହୋଇଛି। ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଏହି ସର୍ଭେ କରିବେ। ଏଥିପାଇଁ ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀଙ୍କୁ ୫୦୦ ଟଙ୍କା ମିଳିବ। ଅଭିଭାବକଙ୍କ ଅନୁମତି ନେବା ସହ ସର୍ଭେ ଫର୍ମ ଠିକ୍ ଭାବେ ପୂରଣ କରି ଏହାକୁ ଆଇସିଡିଏସ୍‌ ସୁପରଭାଇଜରଙ୍କ ଜରିଆରେ ସିଡିପିଓଙ୍କ ନିକଟରେ ଦାଖଲ କରିବେ।

ସିଡିପିଓ ଏହି ଫର୍ମଗୁଡ଼ିକୁ ଡାଟା ଏଣ୍ଟ୍ରି ଏବଂ ଟାବୁଲେସନ ପାଇଁ ବିଏସ୍‌ଏସ୍‌ଓଙ୍କୁ ହସ୍ତାନ୍ତର କରିବେ। ବିଏସ୍‌ଏସ୍‌ଓ ଭେରିଫାଏଡ୍‌ ତଥ୍ୟକୁ ଏସ୍‌ଏସ୍‌ଇପିଡି ପୋର୍ଟାଲରେ ପ୍ରବେଶ କରାଇବେ। ତଥ୍ୟ ଯାଞ୍ଚ କରିବେ ଡିଏସ୍‌ଏସ୍‌ଓ। ଦିବ୍ୟାଙ୍ଗ ଶିଶୁ (୦-୬ବର୍ଷ)ଙ୍କ ସମ୍ପର୍କରେ ବ୍ୟବସ୍ଥିତ ଶୈଳୀରେ ଠିକ୍‌ ଏବଂ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ଏହି ସର୍ଭେର ଉଦ୍ଦେଶ୍ୟ। ଏହାଫଳରେ ସେମାନଙ୍କ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇପାରିବ। ଶୈଶବ ଯତ୍ନ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଆଦି ଯୋଜନା ଏବଂ କାର୍ଯ୍ୟକାରୀ ହୋଇପାରିବ।