Judgement 1

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ରାଜ୍ୟ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ଦୋଷୀଙ୍କୁ ୫୫ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକା ୯ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଅଭିଯୁକ୍ତ ଜଣକ ହେଲେ କ. ନୂଆଗାଁ ଥାନା ଅଂଚଳର ଶେଷଦେବ ମଲିକ(୩୧)।

ସୂଚନା ଅନୁସାରେ, ୨୦୨୪ ଜାନୁୟାରୀ ୪ ତାରିଖରେ ପୀଡ଼ିତାଙ୍କ ବାପା-ମାଆ ଅନ୍ୟ ଏକ ଗ୍ରାମକୁ ବନ୍ଧୁଘରକୁ ଯାଇଥିବା ବେଳେ ଘରେ ପୀଡିତାଙ୍କ ସମେତ ତାଙ୍କର ସାନଭାଇ ଓ ବଡ଼ ଭଉଣୀ ଥିଲେ । ଗୋଟିଏ ଘରେ ପୀଡ଼ିତା ଏବଂ ସାନ ଭାଇ ଶୋଇଥିବା ବେଳେ ଅନ୍ୟ ଏକ ଘରେ ବଡ଼ ଭଉଣୀ ଶୋଇଥିଲେ । ଉକ୍ତ ଦିନ ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ଜଣକ ଘରେ କୌଣସି ପ୍ରକାର ପ୍ରବେଶ କରି ନାବାଳିକାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହି ସମୟ ମଧ୍ୟରେ ପାଖରେ ଶୋଇଥିବା ସାନଭାଇ ନିଦରୁ ଉଠି ପ୍ରତିରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ନାନା ପ୍ରକାର ଧମକ ଦେଇ ସେଠାରୁ ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ବାପା-ମାଆ ନିଜ ଘରକୁ ଫେରିବା ପରେ ପୀଡ଼ିତା ଜଣକ ଘଟଣା ସଂପର୍କରେ ଜଣାଇଥିଲେ। ଏ ନେଇ ଗ୍ରାମରେ ଏକ ବୈଠକ ମଧ୍ୟ ବସିଥିଲା। ବୈଠକରେ କୌଣସି ପ୍ରକାର ସମାଧାନ ହୋଇ ପାରି ନ ଥିବା ବେଳେ ଓଲଟା ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ପରିବାରକୁ ନାନା ପ୍ରକାର ଧମକ ଦେଇଥିଲେ। ଏନେଇ ନିଜେ ପୀଡ଼ିତା କ.ନୂଆଗାଁ ଥାନାରେ ୯ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା(୯/୨୪) ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ବିଚାରପତି ପୀଡ଼ିତା ଏବଂ ୧୮ଜଣ ସାକ୍ଷୀଙ୍କ ବୟାନ୍‌ ଓ ଡ଼ାକ୍ତରୀ ରିପୋର୍ଟକୁ ଆଧାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।