Rajnathsingh 1

‘ଅପରେସନ ସିନ୍ଦୂର’ରେ ସୀମାବର୍ତ୍ତି ଲୋକଙ୍କ ପ୍ରମୁଖ ଭୂମିକା ଥିଲା: ପ୍ରତିରକ୍ଷା ମନ୍ତ୍ରୀ

ଦେଶ - ବିଦେଶ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକ ମାନେ ପ୍ରଶାସନ ଏବଂ ସେନାକୁ ସମସ୍ତ ପ୍ରକାରର ସମର୍ଥନ ଦେଇଥିଲେ। ଏନେଇ ସୋମବାର ଦିନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଭାରତୀୟ ସୈନିକମାନେ ଆତଙ୍କବାଦୀଙ୍କୁ ସେମାନଙ୍କ ଧର୍ମ ପଚାରି ନୁହେଁ ବରଂ ସେମାନଙ୍କ କର୍ମ ଆଧାରରେ ହତ୍ୟା କରିଥିଲେ। ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲେ। ସେନା ଯେଉଁ ଟାର୍ଗେଟଗୁଡ଼ିକୁ ଠାବ କରିଥିଲା ତାହାକୁ ସଠିକ୍ ଆକ୍ରମଣରେ ଧ୍ୱଂସ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପହଲଗାମ ଆକ୍ରମଣ ବିଷୟରେ ସୂଚନା ପାଇବା ପରେ ମୁଁ ତିନି ସେନା ମୁଖ୍ୟଙ୍କୁ ଫୋନ୍ କରି ପଚାରିଥିଲି ଯେ ସେମାନେ ଅପରେସନ ପାଇଁ ପ୍ରସ୍ତୁତ କି ନାହିଁ। ତିନି ସେନା ମୁଖ୍ୟ ନିର୍ଭୀକ ଭାବରେ ଯେକୌଣସି ଅପରେସନ ପାଇଁ ପ୍ରସ୍ତୁତ ବୋଲି କହିଥିଲେ। ଭାରତ ‘ବସୁଧୈବ କୁଟୁମ୍ବକମ୍’ ନୀତିରେ ବିଶ୍ୱାସ କରେ। ଏହା ଜାତି ଏବଂ ଧର୍ମ ଆଧାରରେ ଭେଦଭାବ କରେ ନାହିଁ କିନ୍ତୁ ଆତଙ୍କବାଦୀମାନେ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ।

ଅପରପକ୍ଷରେ ଏହି କାର୍ଯ୍ୟକ୍ରମ ସମୟରେ ପ୍ରତିରକ୍ଷା ମନ୍ତ୍ରୀ କ୍ରୀଡ଼ା ଏକାଡେମୀର ଉଦଘାଟନ କରିଥିଲେ। ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଅନ୍ୟାନ୍ୟ ନେତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।